

ପାଲଲହଡା- ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ର ବରଡିହ ପଞ୍ଚାୟତ ଅନ୍ତର୍ଗତ ଶିଲକଳା ଗ୍ରାମ ରେ ପକ୍କା ରାସ୍ତା ପାଇଁ 3 ଲକ୍ଷ ଟଙ୍କା ମିଥ୍ୟା ବିଲ ଘଟଣା କୁ ଏକ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷ ରୁ ବ୍ଲକ ର ବିଡ଼ିଓ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ରେ ମଙ୍ଗଳବାର ପାଲଲହଡା ର ପୂର୍ବତନ ବିଧାୟକ ମୁକେଶ ପାଲ ଙ୍କ ନେତୃତ୍ୱ ରେ ବିଜେଡି ପକ୍ଷ ରୁ ଶହ ଶହ କର୍ମୀ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇ ଧାରଣା ରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ବିଜେପି ସରକାର ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି, ମିଛ ର ପ୍ରହେଳିକା ରେ ସରକାର ଚାଲିଛି। ପ୍ରଶାସନ ପକ୍ଷ ରୁ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ବିରୁଦ୍ଧ ରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ପାଲ ନିଜ ବକ୍ତବ୍ୟରେ କହିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାଏକ ପ୍ରଶାସନ କାହା ନିର୍ଦ୍ଦେଶ ରେ ଦୁର୍ନୀତି କୁ ଘଣ୍ଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ କରିବା ସହ ଦୁର୍ନୀତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଡେପୁଟି କଲେକ୍ଟର ଶୁଭଶ୍ରୀ ଟୁଡୁ ବିକ୍ଷୋଭ ସ୍ଥଳରେ ପହଞ୍ଚି 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ବିକ୍ଷୋଭ ରୁ ହଟିଥିଲେ ନଚେତ ଆସନ୍ତା14 ତାରିଖ ପରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗଣଧାରଣା ଜାରି ରହିବ ବୋଲି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପାଲ ଚେତାବନି ଦେଇଥିଲେ। ଏହି ବିକ୍ଷୋଭ ରେ ବରିଷ୍ଠ ବିଜେଡି ନେତା ହେମନ୍ତ ଦାସ, ବଙ୍ଗାଳି ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଇନ୍ଦ୍ରମଣି ଗଡ଼ନାୟକ, ଜିଲ୍ଲାପରିଷଦ ସଭ୍ୟା ସାବିତ୍ରୀ ମାଝି, ଜିଲ୍ଲା ଉପସଭାପତି ଲକ୍ଷ୍ମୀଧର ବିଶ୍ଵାଳ, ନରେନ୍ଦ୍ର ଭୁକ୍ତା ଙ୍କ ତତ୍ତ୍ଵାବଧାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ବହୁ ବିଜେଡି ନେତା ଓ ମହିଳା ନେତ୍ରୀ ଯୋଗଦେଇଥିଲେ।