ବିଶ୍ବ ବିବେକ ଦିବସ (୫ ଅପ୍ରେଲ)

ବାଲ୍ଯ-କାଳ’ଠାରୁ ବିଭିନ୍ନ କ୍ଷେତ୍ରରେ
ଜ୍ଞାନାର୍ଜନ କରେ ଜନ,
କର୍ମେ ରୂପାନ୍ତର ହେଲେ ଉପକାର
ଲବ୍ଧ ହୁଏ ସନମାନ ।

ସତ୍ଯ ଦୟା କ୍ଷମା ପ୍ରେମ ଓ ଅହିଂସା
ମାନବୀୟ ବୃକ୍ଷ ଫଳ,
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ହୃଦୟର
ମହକିତ ପୂଜା-ଫୁଲ ।

ସର୍ବ ଫୁଲ ଫଳ ମାନବୀୟ ବୃକ୍ଷେ
ଶାଖା-ପ୍ରଶାଖା ସଦୃଶ,
ବୃକ୍ଷ କାଣ୍ଡ ଚେର ଅଟେ ଯେ’ ବିବେକ
ମାଟିରୁ ଶୋଷେ ପୀୟୂଷ ।

ମାଟିରେ ପାଦପ ସ୍ବଚ୍ଛ ଶୋଭାମୟ
ପାଦପରେ ଫୁଲ-ଫଳ,
ବିବେକରେ ଚୋଟ ବିକୃତ ବିନଷ୍ଟ
ଫୁଲ-ଫଳ ଯେ’ ବିକଳ ।

ମିଥ୍ୟା ହିଂସା ଦ୍ଵେଷ କପଟ କ୍ରୋଧ ଓ
ବିଶ୍ବାସଘାତକ ପାପ,
ବିଷ ବୃକ୍ଷ ତୁଲ୍ୟ ଦୂଷିତ ବଳୟେ
ବିବେକ ହୁଏ ସମାପ୍ତ ।

କ୍ରୋଧ ଭୁଲିଯାଏ ଦୟା ଧର୍ମ ଜ୍ଞାନ
ବିବେକ ଆଉ ସଂସ୍କାର,
କ୍ରୋଧେ ନିମଜ୍ଜିତ ମାନବ ହିଁ ଜାଣ
ଅନ୍ଧ ମୂକ ଓ ବଧିର ।

ଆଧ୍ଯାତ୍ମିକ ଭାବ ଚିନ୍ତନ ମନ୍ଥନ
ହୃଦେ ବିବେକର ଧର୍ମ,
ଜନ ଉପକାର ସମାଜ ମଙ୍ଗଳ
ଭବ୍ୟ ଜୀବନର କର୍ମ ।

ନୀତି ନୈତିକତା ହିତାହିତ ଜ୍ଞାନ
ବିବେକ ଶୁଭୋଚାରଣ,
ଭବ୍ଯ ନ୍ଯାୟବନ୍ତ ସମାଜସେବକ
ଆଦର୍ଶବାଦ ମହାନ ।

ଅପ୍ରେଲ’ର ପାଞ୍ଚ ତାରିଖ ପ୍ରଣୀତ
ବିଶ୍ବ ବିବେକ ଦିବସ ,
ହୃଦେ ପ୍ରେମ-ପ୍ରୀତି ରସ ଓ ପୀୟୂଷ
ଘ୍ରାଣେ ଶମ୍ଭୁନାଥ ଦାସ ।

( କବି ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା )

(ମୁଖ୍ଯ ସମ୍ପାଦକ ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *