ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

୧୧ : ମାର୍ଚ୍ଚ : ✍️ ~~
ସମଗ୍ର ପୃଥିବୀ ଭାଷାର ମାଧୁରୀ
ବିଭିନ୍ନ ଦେଶେ ଅନୈକ୍ୟ,
ସାତ ହଜାରରୁ ଊର୍ଦ୍ଧ୍ବ ଭାଷା ଦୃଶ୍ୟ
ଲିଖିତ ଅଥବା ମୁଖ ।

ତନ୍ମଧ୍ୟରୁ ଆମ ଭାରତବର୍ଷରେ
ଦୃଶ୍ୟମାନ ସର୍ବାଧିକ,
ପ୍ରାୟ ଆଠ ଶହ ଲିଖିତ କି ମୁଖେ
ପାଠ୍ଯ ଅବା ଆଞ୍ଚଳିକ ।

ଟଙ୍କାରେ ଲିଖିତ ପନ୍ଦରଟି ଭାଷା
ଅଟଇ ସାମ୍ବିଧାନିକ,
ତା’ ମଧ୍ଯେ ଓଡ଼ିଆ ଭାଷା ଶୋଭାମୟ
ଶାସ୍ତ୍ରୀୟ ଭାଷା ପୁଲକ ।

ସର୍ବ ପୁରାତନ ଭାଷାର ମାଧୁର୍ଯ୍ୟ
ସାହିତ୍ୟ କଳା-ସଂଗୀତ,
ଧର୍ମ ଶାସ୍ତ୍ର ବେଦ ଉପନିଷଦ କି
ପୋଥି ପୁରାଣୁ ଆନୀତ ।

ଛଅଟି ଭାଷାକୁ ଶାସ୍ତ୍ରୀୟ ମାନ୍ଯତା
ଯଥା ତାମିଲୀ ସଂସ୍କୃତ,
ତେଲଗୁ କନ୍ନଡ଼ ମାଲାୟାଲମ ଯେ’
ଓଡ଼ିଆ ଷଷ୍ଠେ ସ୍ଥାନୀତ ।

ଧନ୍ଯ ଧନ୍ଯ ବିଶ୍ବ ଭାଷାର ବିନ୍ଧାଣି
ନ ଥିଲେ ବି ଜୟଗାନ,
ତବ ଭାଷା-ପୁଷ୍ପ ସାହିତ୍ୟେ ମହକ
ସାରସ୍ବତ ଶ୍ରଦ୍ଧା ଘେନ ।

ଅଢ଼େଇ ହଜାର ବର୍ଷର ଐତିହ୍ୟ
ଓଡ଼ିଆ ଭାଷା ବୈଦୂର୍ଯ୍ଯ,
ହୀରା ଲୀଳା ମୋତି ମାଣିକ ସଦୃଶ୍ୟ
ଶୋଭେ କଳିଙ୍ଗ ଐଶ୍ୱର୍ଯ୍ୟ ।

ଓଡ଼ିଆ ଭାଷାର ଗବେଷକ ଧନ୍ଯ
ଜ୍ଞାନୀ-ଗୁଣୀ ଉତ୍କଳୀୟ,
ତବ ଚେଷ୍ଟା ନିଷ୍ଠା ସାଧନା ବଳରେ
ଓଡ଼ିଆ ଭାଷା ଶାସ୍ତ୍ରୀୟ ।

ଦି’ ହଜାର ଚୌଦ ମାର୍ଚ୍ଚ ଏଗାର ଯେ’
ଭବ୍ଯ ଅଫୁରନ୍ତ ଶୁଭ,
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ଯତା
ପ୍ରାପ୍ତବ୍ଯେ ଗର୍ବ-ଗୌରବ ।

କି ସୁନ୍ଦର ଆମ ଓଡ଼ିଆ ଭାଷାର
ସୁରମ୍ୟ ଶବ୍ଦ ବଚନ,
ସାହିତ୍ୟ ଉଦ୍ଯାନେ ଚନ୍ଦନ ମହକ
ହୃଦେ ଉଲ୍ଲାସ ସ୍ଫୁରଣ ।

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ
ଅଭିନନ୍ଦନ ପୀୟୂଷ,
ସବୁଠୁ ବଢ଼ିଆ ମୋ’ ଭାଷା ଓଡ଼ିଆ
ଭାଷେ ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *