
ଛତ୍ରପୁର : ୧୦.୦୩.୨୫
(ମିଥୁନ ବାରିକ୍)
ଛତ୍ରପୁର : ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l ରାଜ୍ୟରେ ମହିଳା ସୁରକ୍ଷା ଏବଂ ବିକାଶର କଥା ସ୍ଲୋଗାନ ଦେଇ ଶାସନକୁ ଆସିଥିବା ଭାଜପା ସରକାରର ୮ ମାସର ଶାସନ କାଳରେ ମହିଳା ହିଂସା ଘଟଣା ସୀମା ଟପିଛି। ରାଜ୍ୟରେ ୨୪ ବର୍ଷର କୁଶାସନ ଯିବା ପରେ ଏବେ ଦୁଃଶାସନ ଯୋଗୁ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି l ଡବଲ ଇଞ୍ଜିନ ସରକାରରେ ଗତ ୮ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସହ ୨ ଛାତ୍ରୀ ମା’ ହେବା ଘଟଣା ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି ବୋଲି କଂଗ୍ରେସ କହିଛି । ସୁଭଦ୍ରା ଯୋଜନାରେ ଟଙ୍କା ବାଣ୍ଟି ମହିଳାଙ୍କ ବିକାଶ କଥା ପ୍ରଚାର କରୁଥିବା ମୋହନ ସରକାର ନାରୀ ସୁରକ୍ଷା ଦିଗରେ ମୌନ ରହଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା’ ହେବା ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି, ଏହି ସମସ୍ତ ମାମଲାରେ ଅଧିକ ଘଟଣାର ଯାଞ୍ଚ ତଥା ପୀଡିତlଙ୍କ ସୁରକ୍ଷା ପାଇଁ ଅପରାଧୀଙ୍କ ବିରୋଧରେ କୌଣସି କଠୋର ତଥା ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ୫ ବର୍ଷ ମଧ୍ୟରେ ଓଡିଶାରେ ୩୬,୪୨୦ ମହିଳା ଏବଂ ୮୪୦୩ ଶିଶୁ ନିଖୋଜ ହୋଇଯାଇଛନ୍ତି ଏବଂ ୪୨୧ ଜଣ ମହିଳା ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ବିକ୍ଷୋଭ ବେଳେ ଦିଗପହଣ୍ଡି କଂଗ୍ରେସ ନେତା ସlକା ସୁଜିତ କୁମାରଙ୍କ ନେତୃତ୍ୱରେ ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ମହିଳା କମିଟି ସଭାପତି ସୁବାସିନୀ ପଟନାୟକ, ପୂର୍ବତନ ସାଂସଦ ନକୁଳ ନାୟକ, ରାମଚନ୍ଦ୍ର ବେହେରା, କ୍ରିଷ୍ଣା ରେଡି, ଅଶୋକ ପଟ୍ଟନାୟକ, ରଞ୍ଜନ ପଟନାୟକ , ଗଣପତି ବାରିକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ l