ଓଡ଼ିଶାରେ ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନର ସଫଳତା

ବାଲ୍ୟ ବିବାହ ରୋକିବାକୁ ଗଞ୍ଜାମରେ ନିର୍ଭୟ କଢ଼ି, କେନ୍ଦୁଝରରେ ସ୍ୱର୍ଣ୍ଣ କଳିକା ଏବଂ ଢେଙ୍କାନାଳରେ କଳ୍ପନା ଅଭିଯାନକୁ ମିଳିଛି ଅଭୂତପୂର୍ବ ସଫଳତା
ଦେବଗଡ଼ ଜିଲ୍ଲାରେ ବୀରାଙ୍ଗନା ଅଭିଯାନ ବଳରେ ଆତ୍ମରକ୍ଷା ପାଇଁ ସଶକ୍ତ ହେଉଛନ୍ତି କିଶୋରୀ

ଭୁବନେଶ୍ୱର, ୨୨ ଜାନୁଆରୀ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନକୁ ୧୦ ବର୍ଷ ପୂରଣ ହୋଇଛି । ଏହାକୁ ଦେଶବ୍ୟାପୀ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି । କିଛି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଅଭିଯାନ ଅଧୀନରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହିସବୁ ପଦକ୍ଷେପକୁ ମଧ୍ୟ ବିପୁଳ ସଫଳତା ମିଳିଛି । ଓଡ଼ିଶାରେ ମଧ୍ୟ ଶିଶୁ କନ୍ୟାଙ୍କ କଲ୍ୟାଣ ପାଇଁ ଜିଲ୍ଲାସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି ।
ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନ ଅଧୀନରେ ବାଲ୍ୟ ବିବାହକୁ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଭୟ କଢ଼ି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିରେ ୧୧ରୁ ୧୮ ବର୍ଷ ବୟସ୍କ ୧ଲକ୍ଷ ୮୩ ହଜାରରୁ ଅଧିକ କିଶୋରୀଙ୍କୁ ସାମିଲ କରାଯାଇଛି। ୩ ଜାନୁଆରୀ ୨୦୨୨ ସୁଦ୍ଧା ଗଞ୍ଜାମ ଜିଲ୍ଲା ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଘୋଷିତ ହୋଇଥିଲା। ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହକୁ ରୋକିବା ଲାଗି ଶିଶୁ ବିବାହ ନିଷେଧ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍ଡ ଲାଇନ ଓ ପୁଲିସର ସହାୟତା ନେଇଥିଲା। ୩,୬୧୪ ବିଦ୍ୟାଳୟର ୪ ଲକ୍ଷ ୫୦ ହଜାର ଛାତ୍ରୀ ବାଲ୍ୟ ବିବାହକୁ ନା କହିବା ସହିତ ଉଚ୍ଚ ଶିକ୍ଷା ଜାରି ରଖିବାକୁ ଶପଥ ପାଠ କରିଥିଲେ। ସଚେତନତା ସୃଷ୍ଟି ଲାଗି ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରାଯାଇଥିଲା। ଏହି ପଦକ୍ଷେପ ଫଳରେ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ବାଲ୍ୟ ବିବାହ ୨୯%ରୁ ୨୨%କୁ ହ୍ରାସ ପାଇଛି । ସେହିପରି ଲିଙ୍ଗ ନିରୂପଣକୁ ରୋକିବା ଲାଗି ଜିଲ୍ଲାରେ ମୋ ଗେହ୍ଲା ଝିଅ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଫଳରେ ଲିଙ୍ଗ ଅନୁପାତ ପ୍ରତି ୧ହଜାର ପୁଅରେ ୮୫୪ ଥିବା ବେଳେ ୨୦୨୪ରେ ଏହା ୯୨୭କୁ ବୃଦ୍ଧି ପାଇଛି । ଜିଲ୍ଲା ପ୍ରଶାସନକୁ ରାଜ୍ୟ ଓ ଜାତୀୟ ସ୍ତରରେ ଏହି ଉପଲବ୍ଧି ପାଇଁ ଅନେକ ପୁରସ୍କାର ମିଳିଛି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଲାଗି ୧୦ରୁ ୧୯ ବର୍ଷ ବୟସ୍କ କିଶୋରୀଙ୍କୁ ନେଇ କଳ୍ପନା ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏହା ଅଧୀନରେ ୩୪୩ଟି ବାଲ୍ୟ ବିବାହକୁ ରୋକାଯାଇଛି। ୪ ଲକ୍ଷ ୪୫ ହଜାରରୁ ଅଧିକ ଛାତ୍ରୀ ବାଲ୍ୟ ବିବାହ ନକରିବାକୁ ଶପଥ କରିଛନ୍ତି। ୧,୨୧୧ଟି ଗାଁରେ ସଚେତନତା ସୃଷ୍ଟି କରାଯାଇଛି।
ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାରେ ୨୦୨୪ ସୁଦ୍ଧା ବାଲ୍ୟ ବିବାହରେ ୫୦% ହ୍ରାସ ଆଣିବା ଲକ୍ଷ୍ୟ ନେଇ ସ୍ୱର୍ଣ୍ଣ କଳିକା ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ଆଦ୍ୱିକା ଆପ୍‌ ଏବଂ ଗ୍ରାମାଞ୍ଚଳରେ ସଚେତନତା ଅଭିଯାନ ଜରିଆରେ ବାଲ୍ୟ ବିବାହ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଦେବଗଡ଼ ଜିଲ୍ଲା ପ୍ରଶାସନ କିଶୋରୀମାନଙ୍କୁ ଆତ୍ମରକ୍ଷା ତାଲିମ ଦେବା ପାଇଁ ବୀରାଙ୍ଗନା ଅଭିଯାନ କାର୍ଯ୍ୟକାରୀ କରିଥିଲା। ଏହା ଅଧୀନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୬,୦୦୦ ଝିଅଙ୍କୁ ତାଲିମ ଦିଆଯାଇଥିଲା। ଫଳରେ ଝିଅଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହିତ ପୂର୍ବରୁ ସେମାନେ ଯେଉଁ ନିର୍ଯାତନା ଓ ଶୋଷଣର ଶିକାର ହେଉଥିଲେ ସେଥିରେ ଅନେକ ପରିମାଣରେ ହ୍ରାସ ପାଇଛି । ସ୍ୱତନ୍ତ୍ର ବୀରାଙ୍ଗନା ଅଭିଯାନ ପାଇଁ ଦେବଗଡ଼ ଜିଲ୍ଲା ପ୍ରଶାସନ ସମ୍ମାନଜନକ ସ୍କଚ୍‌ ପୁରସ୍କାର ପାଇଁ ମନୋନିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆନୁଷ୍ଠାନିକ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ରୂପେ ସାମିଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *