ଭଞ୍ଜନଗର ପୋଲିସ ପକ୍ଷରୁ ଟ୍ରାଫିକ ଏବଂ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର : ଭଞ୍ଜନଗର ଟାଉନ ହଲ ଠାରେ ଭଞ୍ଜନଗର ଆଦର୍ଶ ଥାନା ପକ୍ଷରୁ ଟ୍ରାଫିକ ଏବଂ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଟ୍ରେନିଂ ଏସପି ସୁଶ୍ରୀ ମନୀଷା ସଗୁନ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ୍ କୁମାର ନାୟକ ଯୋଗ ଦେଇଥିବା ବେଳେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ଅଧ୍ୟକ୍ଷତା କରିଥିଲେ । ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା ମଧ୍ୟ ମଞ୍ଚାସୀନ ଥିଲେ । ସାଇବର ଠକେଇ ମାଧ୍ୟମରେ ଲୁଟେରା ମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ହାସଲ କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି, ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାଇ ବ୍ଲାକମେଲ କରି ଟଙ୍କା ଦାବି କରୁଛନ୍ତି । ଏସବୁ ରୁ ହୁସିଆର ରହିବା ପାଇଁ ଅଜଣା ନମ୍ବରରୁ ଆସିଥିବା କୌଣସି ସନ୍ଦିଗ୍ଧ ଲିଙ୍କ୍, ଫାଇଲ କୁ ଡାଉନଲୋଡ ନକରିବାକୁ ଗଞ୍ଜାମ ଟ୍ରେନିଂ ଏସପି ସୁଶ୍ରୀ ମନୀଷା ସଗୁନ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏଥି ସହ ଅଜଣା ବ୍ୟକ୍ତିଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଯଥା ଆକାଉଣ୍ଟ ନମ୍ୱର୍, ଡେବିଟ ଏବଂ କ୍ରେଡିଟ କାର୍ଡ ସମ୍ବନ୍ଧୀୟ ତଥ୍ୟ, ଓଟିପି, ସିଭିଭି କାହାରିକୁ ପ୍ରଦାନ ନକରିବାକୁ ପରାମର୍ଶ ଦେଇଥିଲେ । ଆରବିଆଇ ଅନଧିକୃତ ଲୋନ୍ ଆପ୍ ଗୁଡିକୁ ଡାଉନଲୋଡ୍ ନକରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଏଥି ସହ ହେଲମେଟ ପିନ୍ଧି ଦୁଇ ଚକିଆ ଯାନ ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ ରେ କଥା ନହେବା, ଦୃତ ଗତିରେ ଗାଡି ନ ଚଳାଇବା, ସିଟ ବେଲ୍ଟ ପିନ୍ଧି ଚାରି ଚକିଆ ଯାନ ଚଳାଇବା ଆଦି ଟ୍ରାଫିକ ସମ୍ବନ୍ଧୀୟ ସଚେତନ ମଧ୍ୟ କରିଥିଲେ । ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ୍ କୁମାର ନାୟକ ମଧ୍ୟ ବିଭିନ୍ନ ଟ୍ରାଫିକ ନିୟମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ସାଇବର ଠକେଇ ସମ୍ପର୍କିତ ସଚେତନ ବାର୍ତ୍ତା ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିବା ବେଳେ ବିପଦର ବନ୍ଧୁ ସଂଗଠନ, ପୁଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଯେଉଁ ଜନସାଧାରଣ ସାଇବର ଠକେଇର ଶିକାର ହୋଇଛନ୍ତି ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଠକେଇ ଅନୁଭୂତିକୁ ସର୍ବ ସମ୍ମୁଖରେ ରଖିଥିଲେ । ପରିଶେଷରେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଭଞ୍ଜନଗର ବେଲଗୁଣ୍ଠା ରୋଡ ଛକ ଠାରେ ଭଞ୍ଜନଗର ପୋଲିସ ପକ୍ଷରୁ ଟ୍ରାଫିକ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ବିନା ହେଲମେଟ ରେ ବାଇକ୍ ଚଳାଉଥିବା ଚାଳକକୁ ଗୋଲାପ ଫୁଲ ଦେଇ ସଚେତନ କରାଯାଉଥିଲା ।

Leave a Reply

Your email address will not be published. Required fields are marked *