
ଅନୁଗୁଳ: ଅନୁଗୁଳ ଟାଉନ ଥାନା ପୋଲିସ ନାଁରେ ନାବାଳକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଘରେ ବାପା-ମା’ ନଥିବା ସମୟରେ ରାତି ଅଧରେ ପୋଲିସ ଜଣେ ନାବାଳକଙ୍କୁ ନିଦରୁ ଉଠାଇ ଗାଳି ମନ୍ଦ କରିବା ସହ ତାଲା ପକାଇବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଅନୁଗୁଳ ଟାଉନ୍ ଥାନା ଶିକ୍ଷକପଡ଼ା ମନ୍ଦିର ନିକଟରେ ଦୀପକ ତ୍ରିପାଠୀ ତାଙ୍କ ପରିବାର ସହ ରୁହନ୍ତି। ଦୀପକ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ନନବେଲେବଲ ୱାରେଣ୍ଟି ରହିଛି। ଅନୁଗୁଳ ଥାନା ପୋଲିସ ଗତ କାଲି ରାତି ସାଢ଼େ ତିନିଟା ସମୟରେ ଦୀପକଙ୍କ ଘରକୁ ଯାଇଥିଲେ। ଘରେ କେବଳ ଦୀପକଙ୍କ ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳକ ଶୋଇଥିଲେ। ପୋଲିସ ଉକ୍ତ ନାବାଳକକୁ ଉଠାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ନାବାଳକ କହିଛନ୍ତି।
ନାବାଳକଙ୍କ କହିବାନୁଯାୟୀ, ସେ ଘରେ ଏକା ଥିବା ବେଳେ ପୋଲିସ ଯାଇ କବାଟ ବାଡେଇ ଥିଲା। କବାଟ ଖୋଲିବା ପରେ ତାଙ୍କୁ ତୋ ବାପା-ମା’ କୁଆଡେ ଯାଇଛନ୍ତି ବୋଲି ପଚାରିଥିଲେ। ନାବାଳକ ଜଣକ ବାପା-ମା’ ଘରେ ନାହାଁନ୍ତି ବୋଲି କହିବାରୁ ପୋଲିସ ମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ତାଲା ପକାଇ ଦେବା ପାଇଁ ଚେଷ୍ଟା କରିଥିଲେ। ଛୁଆଟା ରାତିରେ କୁଆଡେ ଯିବ ବୋଲି ଜଣେ ମହିଳା ପୋଲିସ କହିବାରୁ ତାଙ୍କୁ ତାଲା ପକାଇ ନଥିଲେ ଏବଂ ମୋବାଇଲ ଛଡ଼ାଇ ନେଇଥିଲେ ବୋଲି ନାବାଳକ କହିଛନ୍ତି।
ତେବେ ଏ ବିଷୟରେ ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସଙ୍କୁ ପଚାରିବାରୁ ସେ କୁହନ୍ତି, ଛୁଆର ବାପା-ମା’ ନାମରେ ୱାରେଣ୍ଟ ଅଛି ବୋଲି ପୋଲିସ ଯାଇଥିଲେ। କିନ୍ତୁ ପୋଲିସ ପକ୍ଷରୁ ନାବାଳକଙ୍କୁ କୌଣସି ଗାଳି ଗୁଲଜ ହୋଇ ନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି।