
(ନୂଆପଡା ରୁ ରିଖିରାମ ଦଳ ଙ୍କ ରିପୋର୍ଟ ): ନୂଆପଡା ଜିଲ୍ଲା ଲଖନା ଥାନାରୁ ପୋଲିସର ଦାୟିତ୍ବହୀନତା ଯୋଗୁଁ ଗତ ବୁଧବାର ଜଣେ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଥାନାରୁ ଫେରାର୍ ହୋଇଯାଇଛି। ପୁଲିସର ଅବହେଳାକୁ ଦାୟୀ କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଥାନା ଘେରାଉ କରିଥିଲେ। ସୂଚନା ଅନୁସାରେ, ଲଖନା ଥାନା ମୁରଲୀବାହାଲ ଗ୍ରାମର ଜଳନ୍ଧର ବାଗ ନାମକ ଜଣେ ଯୁବକ କୋମନା ଥାନା ଅନ୍ତର୍ଗତ ମଖାଭଟା ଗ୍ରାମର ଜଣେ ଯୁବତୀଙ୍କୁ ଆଣି ନିଜ ଘରେ ରଖିଥିଲା। ମଙ୍ଗଳବାର ସମ୍ପୃକ୍ତ ଯୁବତୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲା। ଯୁବତୀ ଜଣକ ସ୍ଥାନୀୟ ମହିଳାମାନଙ୍କୁ ସହାୟତା ମାଗିଥିଲେ। ପରେ ମହିଳାଙ୍କ ସହ ମିଶି ଯୁବତୀ ଥାନାକୁ ଆସି ଏତଲା ଦେଇଥିଲେ। ଥାନାରୁ ଯୁବତୀ ଫେରିବା ପରେ ଜଳନ୍ଧର ପୁଣି ମାଡ଼ପିଟ୍ କରିଥିଲା। ପୀଡ଼ିତା ପୋଲିସକୁ ଫୋନ୍ କରିବା ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଏଥିସହ ଅଭିଯୁକ୍ତ ଜଳନ୍ଧରକୁ ଥାନାକୁ ଆଣି ଅଟକ ରଖିଥିଲା। ଅଭିଯୁକ୍ତର ଡାକ୍ତରି ମାଇନା ପରେ ଥାନାକୁ ଆଣି ରଖାଯାଇଥିଲା। ବୁଧବାର ସକାଳୁ ଶୌଚ ଯିବାକୁ କହି ପୁଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ପୁଲିସ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପାଇନଥିଲେ । ପୁଲିସର ଜ୍ଞାତସାରରେ ଅଭିଯୁକ୍ତ ଫେରାର୍ ହୋଇଥିବା ଅଭିଯୋଗ କରି ମୁରଲୀବାହାଲ ଗ୍ରାମର ଶତାଧିକ ମହିଳା ଆସି ଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଭିଯୁକ୍ତ ଫେରାର ରହିଛି। ପୋଲିସ ତନାଘନା କରି ଖୋଜୁଥିଲେ ମଧ୍ୟ ଟେର ପାଉନି ।