
କଣ୍ଟାବାଞ୍ଜି, ଯୁଗଳ କିଶୋର ଶବର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକରେ ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ଦୁଇ ସହ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରାଯାଇ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟ ଚାଲୁ ରହିଥିବା ସମୟରେ ନିର୍ମାଣସ୍ଥଳ ଠାରୁ ଆରମ୍ଭ କରି ରାସ୍ତାଘାଟ, ନଦୀବନ୍ଧ, ନାଳ ବନ୍ଧ, ପଡିଆ, ଗୋଚର ଏବଂ ଗ୍ରାମାଞ୍ଚଳ ରାସ୍ତା ପାଇପ ବିଛାଇବା ପାଇଁ ଖୋଳାଯାଉଥିବାରୁ ରାସ୍ତା ଅବସ୍ଥା ବେହାଲ ହୋଇଯାଇଛି । ଯାହା ଫଳରେ ଯାତାୟାତରେ ଘୋର ସମସ୍ୟା ଦେଖା ଦେବା ସହ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି ।
ପ୍ରକାଶ ଯେ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଏବେ ବିଭିନ୍ନ ପଞ୍ଚାୟତରେ ପାଇପ ବିଛା କାର୍ଯ୍ୟ ଚାଲୁଥିବାରୁ ଗ୍ରାମ୍ୟ ରାସ୍ତା ହେଉ କି ନଦୀବନ୍ଧ, ପଡିଆ ଆଦି ଖୋଳା ଯାଇ ବଡ ବଡ ଗର୍ଭ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।ଏହି ପାଇପ ବିଛାଇବା ପାଇଁ ରାସ୍ତାରୁ ୨ ମିଟର ଦୂରରୁ ଗାତ ଖୋଳିବା କଥା ହେଲେ ଉକ୍ତ ଠିକାଦାର ରାସ୍ତା ସହ ଯୋଡ଼ିକି ଗାତ ଖୋଲୁଥିବା ରୁ ଅନେକ ନୂତନ ନିର୍ମିତ ରାସ୍ତା ଖରାପ ହେଉଥିବା ଦେଖିବାକୁ ମିଳିଛି । ଶୀଘ୍ର ପାଇପ ବିଛା କାମ ସାରିବା ପାଇଁ ଅଳ୍ପ ଗାତ କରି ପାଇପ ବିଛାଇ ଦେଉଥିବା ନଜିର ରହିଛି । ଏହି ପାଇପ ବିଛାଇବା ନିମନ୍ତେ ଲୋକମାନଙ୍କ ଦ୍ଵାରା ଖୋଳାଯାଇ ଏହାକୁ ସମତୁଲ କରିବାର ବ୍ୟବସ୍ଥା ରହିଥିବା ବେଳେ ତାହା କାର୍ଯ୍ୟରେ ପରିଣତ ହେଉନାହିଁ । ଏହି କାର୍ଯ୍ୟ କରୁଥିବା ଠିକାଦାରମାନେ ମାଲେମାଲ ହେବା ନିମନ୍ତେ ମେସିନ ସାହାଯ୍ୟରେ ପାଇପ ବିଛାଇବା ନିମନ୍ତେ ୨ ଶହ ଏମଏମ ପାଇପ ବିଛାଇବା ପାଇଁ ୩ ଶହ ଏମଏମର ଜେସିବିରେ ବକେଟ ଲଗାଇବା ପରିବର୍ତ୍ତେ ୭ଶହ ଓ ୯ ଶହ ବକେଟ ଲଗାଯାଉଛି । ଯାହା ଦ୍ଵାରା ନଦୀବନ୍ଧ, ପୂର୍ବ ରାସ୍ତା, ଗ୍ରାମ୍ୟ ରାସ୍ତାଗୁଡିକ ଖୋଳାଯିବା ଫଳରେ ଏହା ଦୁର୍ବଳ ହେବାରେ ଲାଗିଛି । ଏହି ମାଟି ଖୋଳା ସମୟରେ ରାସ୍ତା
ଉପରେ ୫ରୁ ୬ ଇଞ୍ଚ ବହଳର ମାଟି ଧୂଳି ଜମି ରହୁଛି । ଯାହା ଫଳରେ ଗାଡି ଯାତାୟତ ସମୟରେ ଧୂଳି ଉଡି ପଥଚାରୀଙ୍କୁ ବହୁ ସମସ୍ୟାରେ ପକାଉଛି । ଏହି ପାଇପ ବିଛା ଦ୍ଵାରା ବଡ ବଡ ଗଛ, ଟେଲି ଫୋନ କେବୁଲ ତାର ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ପାଇପ ବିଛା ସମୟରେ ବିଭିନ୍ନ ବିଭାଗ ଠାରୁ ଅନୁମତି ନେବାରେ ନିୟମ ଥିବାବେଳେ ମେଗା ପ୍ରକଳ୍ପର ଠିକାଦାର ଏହାକୁ ଫୁକରି ଦେବା ସହ ନିୟମକୁ ବେଖାତିର କରୁଛନ୍ତି । ବନ ବିଭାଗ ପକ୍ଷରୁ ରାସ୍ତାକଡରେ କୋଟି କୋଟି ଖର୍ଚ କରାଯାଇ ବନୀକରଣ କରାଯାଉଥିବାବେଳେ କମ୍ପାନୀର ମନମାନୀ ଯୋଗୁ ଗଛଗୁଡିକ ନଷ୍ଟ ହେବାରେ ଲାଗିଛି । କମ୍ପାନୀର ଏଭଳି କାର୍ଯ୍ୟ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସରକାରଙ୍କ ନିୟମକୁ ଫୁ କରୁଥିବା କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି ।