
ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନିପନ ଷ୍ଟିଲ୍ କର୍ପୋରେସନର କିମିସୁ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି। ସମୁଦ୍ରରେ ସ୍ଥଳଭାଗର ବିକାଶ କରି କିମିସୁ ଇସ୍ପାତ କାରଖାନା ନିର୍ମାଣ ହୋଇଛି। ଏଥିସହିତ ଉକ୍ତ କାରଖାନାରେ ପରିବେଶ ଅନୁକୂଳ ସବୁଜ ପ୍ରଯୁକ୍ତି ବ୍ୟବହୃତ ହେଉଛି। ଅଟୋମୋବାଇଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ଉଚ୍ଚମାନର ଇସ୍ପାତ ଏଠାରେ ଉତ୍ପାଦନ ହେଉଛି। ମୁଖ୍ୟମନ୍ତ୍ରୀ ଏହି କାରଖାନାର ଭୂୟସୀ ପ୍ରଶଂସା କରିଛନ୍ତି।ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ ନିପନ୍ କମ୍ପାନୀ ବାର୍ଷିକ 30 ନିୟୁତ ଟନ୍ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ ବୋଲି ଆଲୋଚନା ହୋଇଛି । ଏନେଇ କମ୍ପାନୀ ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।ଓଡ଼ିଶାରେ ବିଶାଳ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ନିପନ ଷ୍ଟିଲ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରସ୍ତାବିତ କାରଖାନାରେ ସମାନ ଧରଣର ପ୍ରଯୁକ୍ତି ବ୍ୟବହାର କରିବ। ଓଡ଼ିଶାରେ ଇସ୍ପାତକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପସଂସ୍ଥା ଲାଗି ଉନ୍ନତ ମାନର ଇସ୍ପାତ ଯୋଗାଇବା ଉପରେ ନିପନ ଧ୍ୟାନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳକୁ କାରଖାନା ସଂପର୍କରେ କର୍ତ୍ତୃପକ୍ଷ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାରଖାନା ଯେଉଁ ସ୍ଥାନରେ ହୋଇଛି ସେଠାରେ ସମୁଦ୍ରର ଗଭୀରତା ୧୦ ମିଟରରୁ ଅଧିକ। ଏହା ସତ୍ତ୍ବେ ସେଠାରେ କାରଖାନାର ବିଶାଳ କ୍ୟାମ୍ପସ ସହିତ ବହୁସଂଖ୍ୟାରେ ଗଛ ଲଗାଯାଇ ପରିବେଶକୁ ସବୁଜିମାମୟ କରାଯାଇଛି। ଏଠାରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି କମ୍ପାନି ଇସ୍ପାତ ଉତ୍ପାଦନ କରୁଛି।