
ନୂଆଦିଲ୍ଲୀ: ବୁଡ଼ିବାକୁ ବସିଥିବା Yes ବ୍ୟାଙ୍କ୍ରେ ପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଥିବାରୁ ଟଙ୍କା ଫେରିବା ନେଇ ରାଜ୍ୟରେ ହଇଚିଇ ସୃଷ୍ଟି ହୋଥିବା ବେଳେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଉତ୍ ଷ୍ଟାର୍ ପ୍ରକାଶ ରାଜ। ଦେଶର ବିଭିନ୍ନ ଘଟଣାରେ ରୋକ୍ଠୋକ୍ ମନ୍ତବ୍ୟ ରଖୁଥିବା ପ୍ରାକାଶ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ସରକାରଙ୍କୁ ବ୍ୟାଙ୍ଗ କରିଛନ୍ତି। ସେ ସିଧା ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି।
ସେ ତାଙ୍କ ଟ୍ୱିଟର୍ରେ ଲେଖିଛନ୍ତି, “ହେ ଭଗବାନ! ଆପଣଙ୍କୁ ମଧ୍ୟ ଧାଡ଼ିରେ ଛିଡ଼ା କରିଦେଲେ। ୟେସ୍ ବ୍ୟାଙ୍କରେ ରହିଥିବା ୫୪୫ କୋଟି ଟଙ୍କା ବାବଦରେ ‘ଭକ୍ତ’ମାନେ ଚିନ୍ତା ପ୍ରକଟ କରିବା ଦରକାର।”
ଏହା ପୂର୍ବରୁ ସରକାରଙ୍କ ୟେସ୍ ବ୍ୟାଙ୍କପ୍ରୀତିକୁ ନେଇ ରାଜନୀତି ସରଗରମ ହୋଇଛି। ସରକାରୀ ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥାର ବ୍ୟବସାୟିକ କାରବାର ପାଇଁ ପ୍ରାଧିକୃତ ବ୍ୟାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବାର ୪ ମାସ ପୂର୍ବରୁ କିପରି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବିଜେପି। ସେପଟେ ମନ୍ଦିର ସୌନ୍ଦର୍ଯ୍ୟକରଣ ଆଢୁଆଳରେ ଠାକୁରଙ୍କ ଶହ ଶହ କୋଟି ଟଙ୍କା ଚଳୁ ପାଇଁ ଉଦ୍ୟମ ହୋଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଥିଲା କଂଗ୍ରେସ। ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରାଇବାକୁ ମୁଖ୍ୟ ପ୍ରଶାସକ RBIକୁ ଚିଠି ଲେଖିଥିବା ବେଳେ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ନିଜ ଟଙ୍କା ଫେରି ପାଇବା ନେଇ ଆଶଙ୍କାରେ।
ଅକ୍ଟୋବରରେ ତିରୁପତି ମନ୍ଦିର ଟ୍ରଷ୍ଟର ନିଜ ୧୩ ଶହ କୋଟି ଟଙ୍କା ୟେସ ବ୍ୟାଙ୍କରୁ ଉଠାଇ ନେଇଥିବା ବେଳେ ବ୍ୟାଙ୍କର ବାସ୍ତବ ସ୍ଥିତି ଜାଣି ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଠାକୁରଙ୍କ ଟଙ୍କାକୁ ହରଣଚାଲ କରାଯାଇଥିବା ଅଭିଯୋଗ ଆଣି ଏନେଇ ଶ୍ୱେତପତ୍ର ପ୍ରକାଶ ପାଇଁ ଦଳ ଦାବି କରିଛି । ସେପଟେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଆଳରେ ଠାକୁରଙ୍କ ଟଙ୍କା ହଡପ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ଏନେଇ ଓଡ଼ିଶା ଆଇନମନ୍ତ୍ରୀ ମୁହଁ ଖୋଲି ନଥିବା ବେଳେ ସମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି ଠାକୁରଙ୍କ ଟଙ୍କା ଫେରିବ।