
ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିପାରେ। ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବୟାନକୁ ଭିତ୍ତି କରି ପ୍ରିୟଙ୍କାଙ୍କୁ ଜେରା କରିବାକୁ ଯୋଜନା କରୁଛି ଇଡି । ଏଣୁ ଖୁବଶୀଘ୍ର ପ୍ରିୟଙ୍କାକୁ ସମନ କରିବା ସହ ସିମଳାରେ ଥିବା ତାଙ୍କ ଘରକୁ ଜବତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ରବିବାର ରାଣା କପୁର କହିଥିଲେ ଯେ, ପ୍ରିୟଙ୍କାଙ୍କ ପେଣ୍ଟିଂ କିଣିବା ଲାଗି ମୁମ୍ବାଇ ସାଉଥର ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ତାଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ଏହି ଫଟୋଚିତ୍ରର ମୂଲ୍ୟ ୨ କୋଟି ଥିଲା ବୋଲି ସେ ନିଜ ବୟାନ ରଖିଥିଲେ।
ତେବେ ଅଭିଯୁକ୍ତ କପୁରଙ୍କଠାରୁ ନେଇଥିବା ଏହି ଅର୍ଥକୁ ପ୍ରିୟଙ୍କା ଶିମଲାସ୍ଥିତ ନିଜ ବାସଭବନରେ ଖର୍ଚ୍ଚ କରିଛନ୍ତି। ଏଣୁ ଅର୍ଥ ହେରଫେର୍ ବିରୋଧୀ ଆଇନ ଅନୁଯାୟୀ, ଏହି ଅର୍ଥକୁ ‘ଅପରାଧର ଆୟ’ ବୋଲି ବିବେଚନା କରି ଇଡି ଉକ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରିପାରେ।
ଏହାସହିତ ମିଲିନ୍ଦ ଦେଓରାଙ୍କୁ ମଧ୍ୟ ଇଡି ପଚରାଉଚରା କରିପାରେ। ସେପଟେ ରାଣା ଓ ୟେସବ୍ୟାଙ୍କ ସହ ସଂପୃକ୍ତ ୭ଟି ଜାଗାରେ ସିବିଆଇ ରେଡ୍ କରିଛି।