
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ାମନ୍ତ୍ରଣାଳୟର ଆନୁକୂଲ୍ୟରେ ଆୟୋଜିତ ହେଉଛି ଖେଲୋ ଇଣ୍ଡିଆ । ଚଳିତ ବର୍ଷ ଠାରୁ ଏହା ମୋଟ୍ ୩ଟି ପର୍ଯ୍ୟାୟରେ ଆୟୋଜିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସାମିଲ କରାଯାଇଛି । ଏହାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହେବ । ଚନ୍ଦ୍ରଶେଖରପୁର ରେଳପଥ ପ୍ରେକ୍ଷାଳୟରେ ଆଜି ଆୟୋଜିତ ହୋଇଥିଲା ଏହାର ଲୋଗୋ, ମାସ୍କଟ୍ ଓ ଜର୍ସି ଉନ୍ମୋଚନ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଅଫିସିଆଲ୍ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଥିଲେ ପ୍ରତିଯୋଗିତାର କ୍ରୀଡ଼ାସୂଚୀ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବସମ୍ବଳ ଓ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ କର୍ମକର୍ତ୍ତା, ଅଲିମ୍ପିଆନ ଦୂତି ଚାନ୍ଦ ଓ ଦେଶର ଦ୍ରୁତତମ ଧାବକ ଅମିୟ ମଲିକ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଯୋଗିତାର ଲୋଗୋ, କେନ୍ଦ୍ରମନ୍ତ୍ରୀ ପୋଖରିଆଲ ମାସ୍କଟ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜର୍ସି ଉନ୍ମୋଚନ କରିଥିଲେ । ମନ୍ତ୍ରୀ ଅରୁଣ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରୁ କ୍ରୀଡ଼ା ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖରେ ଶେଷ ହେବ । କିଟ୍ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ଆୟୋଜିତ ହେବ । ଦେଶର ୧୦୦ଟି ବିଶ୍ୱବିଦ୍ୟାଳୟରୁ ୪୦୦୦ ଆଥଲେଟ୍ ଅଂଶ ଗ୍ରହଣ କରିବେ । ମୋଟ୍ ୧୭ଟି କ୍ରୀଡ଼ା ଯଥା-ଆର୍ଚେରୀ, ଆଥଲେଟିକ୍, ବକ୍ସିଂ, ଫେନ୍ସିଂ, ଜୁଡୋ, ସୁଇମିଂ, ଭାରୋତ୍ତୋଳନ, ରେସଲିଂ, ବ୍ୟାଡମିଣ୍ଟନ, ବାସ୍କେଟବଲ୍, ଫୁଟବଲ୍, ହକି, ଟେବୁଲ ଟେନିସ୍, ଟେନିସ୍, ଭଲିବଲ୍, ରଗ୍ବୀ ଓ କବାଡ଼ି ପ୍ରଭୃତିରେ ପ୍ରତିଯୋଗିତା ହେବ ।
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଭାରତକୁ ବିଶ୍ୱ କ୍ରୀଡ଼ାରେ ସୁପରପାୱାର କରି ଗଢ଼ି ତୋଳିବା । ଆଉ ସେହି ଲକ୍ଷ୍ୟ ନେଇ ଚଳିତ ବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ । ବିଶ୍ୱବିଦ୍ୟାଳୟ ସ୍ତରରେ ଥିବା ଯୁବ କ୍ରୀଡ଼ାବିତଙ୍କ ଦକ୍ଷତା ପ୍ରତିପାଦନରେ ଏହା ହେବ ବଡ଼ ପ୍ଲାଟଫର୍ମ । ତୃଣମୂଳସ୍ତରରୁ ପ୍ରତିଭା ଚୟନ ସାଙ୍ଗକୁ ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଦିଆଯାଇ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ । କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଅନୁସାରେ, ପ୍ରତ୍ୟେକ ରାଜ୍ୟକୁ କ୍ରୀଡ଼ାର ଗୋଟିଏ ଗୋଟିଏ ଇଭେଣ୍ଟ ଉପରେ ଫୋକସ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ରାଜ୍ୟମାନେ ନିଜ ଇଚ୍ଛାରେ ତାହା ଚୟନ କରିବେ ଏବଂ ସେହି ଇଭେଣ୍ଟରେ ଦକ୍ଷ କ୍ରୀଡ଼ାବିତ ବାହାର କରିବେ । କେବଳ କେନ୍ଦ୍ର ସରକାର ନୁହଁନ୍ତି କର୍ପୋରେଟ୍ ସଂସ୍ଥା ଗୁଡ଼ିକ ମଧ୍ୟ ଏ ଦିଗରେ ସହାୟତା କରିବା ଦରକାର ।
ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ବେଶ ଅଗ୍ରଗତି କରି ଚାଲିଛି । ଗତ ହକି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ କରି ବହୁ ପ୍ରଶଂସା ସାଉଁଟିଥିଲା । ଯେଉଁଥିପାଇଁ ଆମେ ଗର୍ବିତ । ଏହି ମାଟିରୁ ନିଶ୍ଚିତ ଭାବେ ଚାମ୍ପିଅନ କ୍ରୀଡ଼ାବିତ ବାହାରିବେ ।”
ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ, ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାବିତ ବାହାର କରିବାରେ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରି ପାରିଛି । ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବେ ଖ୍ୟାତି ପାଇ ସାରିଥିବାବେଳେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏଠାରେ ଆୟୋଜିତ ହେବାକୁ ଯାଉଛି³ ଯାହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ।”
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ, ଓଡ଼ିଶାରୁ ବହୁ କ୍ରୀଡ଼ାବିତ ବାହାରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଯାଇ ପାରିଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଆୟୋଜନ ଆମର ପରବର୍ତ୍ତୀ ପିଢ଼ିଙ୍କୁ କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବାରେ ପ୍ରୋତ୍ସାହିତ କରିବ ।” କେନ୍ଦ୍ରମନ୍ତ୍ରୀ ରମେଶ କହିଥିଲେ, ଓଡ଼ିଶା କଳା, ସଂସ୍କୃତି ଓ ଐତିହ୍ୟରେ ବେଶ ଆଗୁଆ । କ୍ରୀଡ଼ାରେ ମଧ୍ୟ ସେମାନେ ପଛରେ ନୁହନ୍ତି । ଅଲିମ୍ପିଆନ ଦୂତି ଚାନ୍ଦ ଏ ମାଟିର ଗୌରବ ବଢ଼ାଇଛନ୍ତି । ବିଶ୍ୱବିଦ୍ୟାଳୟ କ୍ରୀଡ଼ାରୁ ଅଲିମ୍ପିକ୍ସ ଚାମ୍ପିଅନ ବାହାରିବେ ବୋଲି ମୋର ବିଶ୍ୱାସ ।”