
ଜାଣି ନ ପାରଇ କିଏ କେଉଁ ଭାବେ
ଦେଖନ୍ତି କୋଣାର୍କ ରୂପ,
ମୋର ନିରୀକ୍ଷଣ ତା’ ଅଭ୍ଯନ୍ତରରେ
କେତେ କାବ୍ୟ କେତେ ଗଳ୍ପ !
ବାରଶ’ ବଢ଼େଇ ସ୍ବେଦ ମହକୁଛି
ବେଦନା ରହିଛି ଗୁପ୍ତ,
ଲେଖା ହୋଇନାହିଁ ବାର ଶହ ଗଳ୍ପ
ସେ’ ସୃଜନ ଅପହୃତ ।
ବାର ବରଷର ବାଳୁତ ଧରମା
ଯେ’ ଅଟଇ ଦେବଦୂତ,
କୋଣାର୍କର ଚୂଳ ଲଗାଇ ରଚିଲା
ଉତ୍କଳ ଶିରଃ ମୁକୁଟ ।
ଉତ୍କଳ ସାହିତ୍ୟ ମୁଖବନ୍ଧ ସେହି
ଶିଳ୍ପୀର ଏନ୍ତୁଡ଼ିଶାଳ,
ଓଡ଼ିଆ ଜାତିର ଗୌରବ ସନନ୍ଦ
ଉତ୍କଳମାତାର ମାଲ୍ଯ ।
ଉପନ୍ୟାସର ସେ’ ସପନ ନାୟିକା
କାବ୍ୟର ସେ’ ପ୍ରେମଶିଳା,
କବିତାର ସେ’ ଯେ’ ଫୁଲର ପାଖୁଡ଼ା
କଳିଙ୍ଗର ଚିତ୍ରଶାଳା ।
ହୀରା ଲୀଳା ମୋତି ଉତ୍କଳର କୀର୍ତ୍ତି
କାବ୍ୟ-କବିତା ଗହଣା,
ନର୍ତ୍ତକୀ ମୟୂରୀ କୋକିଳ କୂଜନ
ଉତ୍କଳ ନନ୍ଦିନୀ ବୀଣା ।
ଗୀତିରେ ପ୍ରୀତିରେ ଜନ-ମନ ପ୍ରାଣ
କରେ ମଧୁ ଆସ୍ବାଦନ,
କିନ୍ତୁ ମୁଁ ଖୋଜଇ ରାଣୀ ମହୁମାଛି
କରିବାକୁ ଆଲିଙ୍ଗନ ।
ଉତ୍କଳ କଳାର ଉତ୍କର୍ଷ ଭାସ୍କର୍ଯ୍ଯ
ମୋ’ ମନର ଲକ୍ଷହୀରା,
ସପ୍ତାଶ୍ଚର୍ଯ୍ୟ ମଧ୍ଯେ ଅଦ୍ବିତୀୟ ବୋଲି
ବିଦେଶୀ ଆସନ୍ତି ପରା ।
ପର୍ଯ୍ୟଟକ ହୃଦେ ମୋହିନୀ ଭାବରେ
ଲାସ୍ୟମୟୀ ହାସ୍ୟମୟୀ,
ମଦିରା ସୁରସ କରାଉଛ ପାନ
ସତେ ତୁମେ ପ୍ରେମମୟୀ ।
ମନ୍ଦିର-ମାଳିନୀ ଉତ୍କଳର ତୁମେ
ରମଣୀୟ ଆଦି କର୍ତ୍ତ୍ରୀ,
ବିଶ୍ବ ବୈଜୟନ୍ତ ଶୌର ଚିତ୍ରପଟ
ଉତ୍କଳ ତିଳକ ଜ୍ଯୋତି: ।
ବାର୍ଦ୍ଧକ୍ଯ ଆଣିଛି ବିଷଣ୍ଣ-ବିବର୍ଣ୍ଣ
ନୟନେ ଭରିଛି ଲୁହ,
ଆହେ ଶୋଭାକାନ୍ତ ଲଳିତ କୋଣାର୍କ
କି ସେବା କରିବି କୁହ !
ଶିଳ୍ପୀଗଣ ଭାଳେ ଆକୁଳେ ବ୍ଯାକୁଳେ
ତୋ’ ଦେହେ ଦେବାକୁ ରକ୍ତ,
ନବ-କଳେବର ହେଉ ବା ନହେଉ
ରହିଥାଅ ସଦା ଶକ୍ତ !
ଓଡ଼ିଆ ଜାତିର ମାନ-ସନମାନ
ଉତ୍କଳର ତୁମେ ଧ୍ବଜା,
କୋଟିଏ ପ୍ରଣାମ କୋଣାର୍କ ତୁମକୁ
ସୂର୍ଯ୍ୟଦେବ ପାଉ ପୂଜା ।🙏