
ଭାବିଲି ଲେଖିବି କବିତାଟେ,
ଖୋଜୁଥିଲି ମୁହିଁ ପ୍ରିୟା ଗୋଟେ ।
ଲାଗୁଥିଲା ମୋତେ ଭାରି ଭୟ,
ତଥାପି ମନକୁ କଲି ଥୟ ।
ଧରିଲି ଥରେ ମୁଁ ଗୋଲାପକୁ,
କାଟିଦେଲା ସିଏ ମୋ’ ହାତକୁ ।
ଟଣା-ଓଟରା ମୁଁ କଲାବେଳେ,
ମାଲିକ ତାହାର ଆସିଗଲେ ।
କହିଲେ ମୋତେ ସେ ଧକ୍କା ଦେଇ,
ମୋ’ ଗୋଲାପ ନୁହେଁ ତୁମ ପାଇଁ ।
ଅପମାନେ ସେଠୁ ପଳାଇଲି,
ନଦୀ କୂଳେ କୂଳେ ବୁଲୁଥିଲି ।
ଦେଖିଲି ସୁନ୍ଦରୀ ଝିଅଟିଏ,
ପଚାରିଲି ତାକୁ ତମେ କିଏ ?
ବସିଛ କାହିଁକି ନଦୀ ତୀରେ (?)
କହିଲାନି କଥା ସିଏ ଥରେ ।
କାନ୍ଦୁଥିଲା ସିଏ ଆଖି ମଳି,
ସେଥିରୁ ମୁଁ କିଛି ବୁଝୁଥିଲି ।
ଖୁଣ୍ଟି ପକାଇଲି ଧୀରେ ଧୀରେ,
ଲେଖିବାକୁ ମୋର କବିତାରେ ।
କବିତାର ନାମ ଦେବି ବୋଲି,
ଝିଅଟିକୁ ନାମ ପଚାରିଲି !
ଭାବିଲି ତାହାକୁ ଲାଜକୁଳୀ,
ୟାକୁ ଛାଡ଼ି ଏବେ ଯିବି ଚାଲି ।
ଦେଖିଲି ମୁଠାରେ ଟଙ୍କା ତା’ର ,
ଭାବିଲି ଫାଟିବ ଗାଲ ମୋର !
ଶେଷରେ ଝିଅଟି ଅନାଇଲା,
ଆଖିରୁ ଝରଣା ବୋହିଗଲା ।
କରୁଣ କଣ୍ଠରେ ସେ’ କହିଲା,
ମଦ ପିଇ ବାପ ଚାଲିଗଲା ।
ଭୋକ-ଓପାସରେ ରହୁଥିଲୁ,
ମାଗି-ଯାଚି ଆମେ ଚଳୁଥିଲୁ ।
ଗାଆଁ ମୁରବିଟା ବାପ ପରି,
କହିଲା ମାଆକୁ ଦିନେ ଧରି ।
ଦେବତା ଅଟଇ ଆମ ନେତା,
ଗରୀବମାନଙ୍କ ପିତା-ମାତା ।
ନେଇଯିବି ଝିଅକୁ ତୋହର,
କହିବ ସେ ତା’ର ଦୁଃଖ ଭାର ।
ବୁଝାଇ କହିଲା କୁଜିନେତା,
ରାଜି ହୋଇ ଛାଡ଼ିଦେଲେ ମାତା ।
ଗାଡ଼ିରେ ବସାଇ ନେଇଗଲା,
ନେତା ପାଶେ ମୋତେ ଛାଡ଼ିଦେଲା ।
ନେତା ଦେଖି ମୋତେ ଖୁସି ହେଲା,
ଭିତର ଘରକୁ ନେଇଗଲା ।
ପୁରୁଣା ପୋଷାକ ଚିରିଦେଲେ,
କୋଳରେ ବସାଇ ଗେହ୍ଲ କଲା ।
ନୂଆ ଶାଢ଼ୀ ମୋତେ ପିନ୍ଧାଇଲା,
ହାତରେ ମୁଠାଏ ଟଙ୍କା ଦେଲା ।
କହିଲା ଆସିବୁ ସବୁଦିନ,
ଟଙ୍କା ନେଇଯିବୁ ଘନଘନ ।
ଭୋକ-ଓପାସରେ ନ ରହିବୁ,
ଯାହା ଦରକାର ମାଗିନେବୁ !
ବଲ୍ଲେ ବଲ୍ଲେ ଢାବା ଅଛି ମୋର ,
ଗଢ଼ିଦେବି ତୋର କ୍ଯାରିୟର !!
ନେଇଯାଅ ବାବୁ ଟଙ୍କା ସବୁ,
ମାଆକୁ ମୋହର ଦେଇଦେବୁ !
ଆଉ କାହିଁପାଇଁ ଘର ଯିବି (?)
ଏହି ନଦୀରେ ମୁଁ ପ୍ରାଣ ଦେବି !!
ଶମ୍ଭୁନାଥ ଦାସ / କୋଲକାତା