
ଛତ୍ରପୁର:୨୭.୦୩.୨୦୨୫
(ମିଥୁନ ବାରିକ୍)
ଛତ୍ରପୁର : ଆଦିଶକ୍ତି ମା ତାରା ତାରିଣୀଙ୍କ ବାର୍ଷିକ ଚୈତ୍ର ମଙ୍ଗଳ ଯାତ୍ରା ଶୃଙ୍ଖଳାର ସହ ଚାଲିଛି । ଦ୍ବିତୀୟ ପାଳି ମଙ୍ଗଳବାର ଯାତ୍ରାରେ ପ୍ରାୟ ୩୦ ହଜାର ଆବାଳ ବୃଦ୍ଧ ବନୀତାଙ୍କୁ ଅନ୍ନଯଜ୍ଞ ମାଧ୍ୟମରେ ଦେୟମୁକ୍ତ ପ୍ରସାଦ ବିତରଣ କରାଯାଇଥିଲା । ପୂର୍ଣ୍ଣଗିରି ପାହାଡ ପାଦଦେଶ ଉତ୍ତର ପାର୍ଶ୍ବ ଦିଗନ୍ତ ବଙ୍ଗଳା ନିକଟରେ ଏବଂ ଦକ୍ଷିଣ ପାର୍ଶ୍ବ ସହଦେବ ଛକ ନିକଟରେ ତାରା ତାରିଣୀ ଉନ୍ନୟନ ପରିଷଦ ସଦସ୍ୟ ଓ ସ୍ବେଚ୍ଛାସେବୀ ମାନେ ଅନ୍ନଯଜ୍ଞ ଆୟୋଜନ କରିଥିଲେ । ସେହିପରି ୪ ଟି ଅସ୍ଥାୟୀ କେନ୍ଦ୍ରରେ ପିଲାମାନଙ୍କ ମୁଣ୍ଡନ କାର୍ଯ୍ୟକ୍ରମ ହୋଇଥିଲା । ପ୍ରାୟ ଆଠ ହଜାର ଚାରି ଶହ ପିଲାଙ୍କ ସହଣିକ ମୁଣ୍ଡନ ବା ଚୁଟି କଢା ହୋଇଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୫ ଟି ବସ୍ ଯୋଗେ ୧୩ ହଜାର ଯାତ୍ରୀ , ରୋପ୍ ଓ୍ବେ ମାଧ୍ୟମରେ ୧୨ ଶହ ଯାତ୍ରୀ ଙ୍କ ସମେତ ହଜାର ହଜାର ଯାତ୍ରୀ ପୂର୍ଣ୍ଣଗିରି ପାହାଡ ଉପରେ ମା ଙ୍କୁ ଦର୍ଶନ କରିଥିଲେ । ସୋମବାର ରାତି ଦୁଇଟାରୁ ମଙ୍ଗଳବାର ଅପରାହ୍ନ ୨ ଟା ଯାଏଁ ପ୍ରାୟ ୧୦ କିଲୋମିଟର ବ୍ୟାପୀ ଗହଳି ଲାଗି ରହିଥିଲା । ପୂର୍ବାହ୍ନ ୬ ଘଟିକାରୁ ଅପରାହ୍ନ ୩ ଘଟିକା ଯାଏଁ ପଣ୍ଡିତ ଅଶୋକ ପାଢୀଙ୍କ ନେତୃତ୍ବରେ ମା ଙ୍କ ମନ୍ଦିର ସାମ୍ନା ଯଜ୍ଞ ମଣ୍ଡପରେ ବିଶ୍ବ ଶାନ୍ତି ସପ୍ତଶତୀ ଶ୍ରୀ ଚଟଣ୍ଡି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍ ଶ୍ରୀମତୀ ରୂପା ରୋଶନ୍ ସାହୁ ପୂର୍ବାହ୍ମରେ ମହାଲକ୍ଷ୍ମୀ ବେଶରେ ସଜ୍ଜିତ ମା ଙ୍କୁ ଦର୍ଶନ କରିବା ପରେ ଯଜ୍ଞରେ ଅଂଶ ଗ୍ରହାଣ କରିଥିଲେ । ଏହା ପରେ ସ୍ବୟଂଚାଳିତ ରନ୍ଧା କେନ୍ଦ୍ର ପରିଦର୍ଶନ କରି ଭକ୍ତ ମାନଙ୍କ ସୂବିଧା ଲାଗି ଏହି କେନ୍ଦ୍ର ପ୍ରତ୍ୟହ କାମ କରିବା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ । ଯାତ୍ରୀ ମାନଙ୍କ ସୁବିଧା ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସତର୍କ ସଚେତନ ରହିବା ଲାଗି ସେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ପଞ୍ଚାୟତିରାଜ ନିର୍ଦ୍ଦେଶକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ପ୍ରମୁଖ ମନ୍ଦିର ପରିଦର୍ଶନ କରିଥିଲେ ।
ସଂଧ୍ୟାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଯୋଗାଣ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ମା ଙ୍କୁ ଦର୍ଶନ କରି ଭୁବନେଶ୍ବର ଫେରି ଯାଇଥିଲେ । ଚୈତ୍ର ମଙ୍ଗଳ ଯାତ୍ରାର ଅନ୍ୟତମ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ, ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସୋମବାର ରାତିରେ ଭଜନ ସମାରୋହ ଓ ପରେପରେ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା ।