ମୋ’ କବିତା ରଖିବ ନାମ

ଶୋଷଣ କଷଣ ଦୁର୍ନୀତି ବିରୁଦ୍ଧେ
କରିଅଛି ମୁହିଁ ପଣ,
ସମାଜର ହିତେ ଲଢ଼େଇ କରିବି
ଲେଖନୀକୁ କରି ଟାଣ ।

ଲେଖନୀ ମୁନରେ ଦୁର୍ନୀତିର ମୁଖା
ଖୋଲିବି ମୁଁ ବାରମ୍ବାର,
ଜନଗଣ ହସ୍ତେ ଧରାଇବି ଖଡ୍ଗ
ପାଇବାକୁ ଅଧିକାର ।

ମୋ’ ମାନବ ଭାଇ ମୁହଁକୁ ବୁଲେଇ
କରୁଛନ୍ତି ପରିହାସ,
କୂଟ-କପଟରେ ମରୁଛନ୍ତି ନିଜେ
ମାରୁଛନ୍ତି ବସବାସ ।

ଲେଖାରେ ପଢ଼ାରେ ଧ୍ଯାନ ନ ରଖନ୍ତି
ନ ବୁଝନ୍ତି ଯଶ-ମାନ,
ସମାଜର ସ୍ଥିତି ଜାଣି ନ ପାରନ୍ତି
ହେଉଥା’ନ୍ତି ହୀନିମାନ ।

ସମାଜ ସଂସ୍କାର ଜାତୀୟ-ସଂହତି
ଟେକି ଧରିବାକୁ ମନ,
ଦୁର୍ନୀତି ବିରୁଦ୍ଧେ ଲେଖି ଲେଖି ମୁହିଁ
ପାଉଛି କେତେ କଷଣ ।

ଏହିପରି ଗତି – ବିଧିରେ ଜୀବନ
ନେଇଯିବ ଦିନେ ଯମ,
ସେହିଦିନ’ଠାରୁ ଏ ସମାଜେ ମୋର
କବିତା ରଖିବ ନାମ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *