
ଜୀବଜଗତୀୟ ସୃଜନେ ସୁନ୍ଦର
ବୃକ୍ଷ ଓ ପ୍ରାଣୀଜଗତ,
ପରିପୂରକୀୟ ସନ୍ତୁଳନେ ଗତି
ଧରାବକ୍ଷେ ଶୋଭାବନ୍ତ ।
ଲକ୍ଷ ଲକ୍ଷ ବୃକ୍ଷ- ଲତାରେ ପୃଥିବୀ
ସୃଜେ ସ୍ବଚ୍ଛ ପରିବେଶ,
ମୌଳିକତା’ଠାରୁ ସୌଖୀନତା ଯାଏ
ପରିତୃପ୍ତରେ ମଣିଷ ।
ବର-ଓସ୍ତ ଗଛ ମାହାତ୍ମ୍ଯ ବିଶେଷ
ଶୁଭ ମଙ୍ଗଳ କାରଣ,
ବୋଧିଦ୍ରୁମ ଓସ୍ତ ପବିତ୍ରକ ବୃକ୍ଷ
ଜାଳେଣି ହୁଏ ବାରଣ ।
ଶୁଭ-ଯାତ୍ରା କାଳେ ସଂକଟ ମୋଚନେ
ଭାଙ୍ଗିଥିଲେ ବରଡାଳ,
ବର ପତ୍ର କାଠ ଜାଳେଣିରେ ଭାବ
ରୋଷେଇ କାର୍ଯ୍ୟେ ସରଳ ।
ଦାମ୍ପତ୍ଯ ଜୀବନେ ଅପୁତ୍ରିକ ଦୋଷ
ହୋଇଥାଏ ନିର୍ବାପଣ,
ବର-ଓସ୍ତ ଗଛ ରୋପଣ ଉତ୍ତାରେ
ଶୁଭ ବିବାହ କରଣ ।
ବଟବୃକ୍ଷ ଡାଳେ ମାନସିକ ଫିତା
ଗୁଆ ପଇସା ବନ୍ଧନ,
ଛାୟା ପ୍ରଦାୟକ ଶ୍ରେଷ୍ଠରେ ପାଦପ
ପଟାଝୁଲି ଖେଳ ଟାଣ ।
ମୃତ୍ୟୁ ନ ଲଭଇ ବରଗଛ କେଭେଁ
ଓହଳ ହୁଅଇ ମୂଳ,
ଜାତୀୟ ବୃକ୍ଷ’ର ମାନ୍ୟତାରେ ଆମ
ମାତୃସମ ତା’ର କୋଳ ।
ବର-ଓସ୍ତ ଗଛ ଶୁଭ ଓ ପବିତ୍ର
ସୁଶୋଭନେ ପରିବେଶ,
ଏମନ୍ତ ବୃକ୍ଷର ରୋପଣ ସୁରକ୍ଷା
ଭାଳେ ଶମ୍ଭୁନାଥ ଦାସ ।