ଆନ୍ତର୍ଜାତୀୟ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଦିବସ ୨୦୨୪ ପାଳିତ ।

ବାରିପଦା(କ:ବ୍ଯୁ)ତା:୦୩/୧୨- ମୟୂରଭଞ୍ଜ  ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ  ସହିଦ ସ୍ମୃତି ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳିତ ହୋଇଯାଇଛି । ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଓ ପ୍ରତିଧ୍ୱନି NGO ର ନିର୍ଦ୍ଦେଶକ ଡଃ ଶିରୀଷ ଚନ୍ଦ୍ର ଭୋଳ ପ୍ରମୁଖ ମଞ୍ଚାସୀନ ଥିଲେ I

ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ I ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ ଜିଲ୍ଲାପାଳ ଶ୍ରୀ ସୟ I 

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସଭିଙ୍କର ମିଳିତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଭିନ୍ନକ୍ଷମଙ୍କୁ ସମାଜର ସବୁ ସ୍ତରରେ ସାମାଜିକ ସୁରକ୍ଷା ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ବର୍ତ୍ତମାନର ସବୁଠାରୁ ବଡ ଆବଶ୍ୟକତା ବୋଲି ଡଃ ଦାସ ନିଜର ବାର୍ତ୍ତା ରଖିଥିଲେ I କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲାରେ ଚାଲିଥିବା ଯୋଜନା ଯଥା ପେନ୍ସନ ଯୋଜନା, ଛାତ୍ରବୃତ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଲାପଟପ୍ ଆଦି ଉପରେ ସୂଚନା ପ୍ରଦାନ କରିଥିଲେ I 

ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳ ଭିନ୍ନକ୍ଷମ ଦମ୍ପତି ସୁମତି ପୃଷ୍ଟି, ଅଜୟ କୁମାର ପୃଷ୍ଟି ଓ ଲକ୍ଷ୍ମୀନାରାୟଣ ଧୀର ଓ କଂଚନୀ ଭଞ୍ଜ ଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦକୁ ୨,୫୦,୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ଜଣେ ଭିନ୍ନକ୍ଷମ ଛାତ୍ର ଅନୁପମା ବେରାଙ୍କୁ ୪୯,୫୦୦/- ଟଙ୍କ। ଛାତ୍ର ଵୃତ୍ତି ପ୍ରଦାନ କରିଛନ୍ତି I   

ଏଠାରେ ସୂଚନା ଥାଉ କି, ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୪ ପାଳନ ଅବସରରେ ସକାଳ ଘ. ୯  .୩୦ ସମୟରେ ଏକ ସଚେତନତା ରାଲିର (ୱାକାଥନ୍) ଆୟୋଜନ କରାଯାଇଥିଲା I ଉଭୟ ସକ୍ଷମ ଓ ଭିନ୍ନକ୍ଷମ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଏହି ରାଲି କଲେକ୍ଟୋରେଟ୍ ପରିସରରୁ ଆରମ୍ଭ ହୋଇ ବାରିପଦା ଷ୍ଟାଡିଅମ ଠାରେ ସମାପ୍ତ ହୋଇଥିଲା I ସେହି ଭଳି ସହିଦ ସ୍ମୃତି ଭବନ ଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନେକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା I ପରିଶେଷରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା

 

        ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି) 

Leave a Reply

Your email address will not be published. Required fields are marked *