
ଜୟପାଟଣା ( ରିପୋର୍ଟ: ଶେଷଦେବ ବେହେରା): ଇନ୍ଦ୍ରାବତୀ ର ଆୟମରମ୍ଭ ଅନେଙ୍କକୁ ବିକାଶ ର ସ୍ବପ୍ନ ଦେଖିବାକୁ ସୁଯୋଗ ତିଆରି କରିଥିବା ବେଳେ ପାହାଡ଼ ଶିଖର ରେ ରହିଥିବା ମଣିଷ ମାନେ ନିଜର ଯୁଗ ଯୁଗ ର ଭିଟା ମାଟି ,ସବୁଜ ଜଙ୍ଗଲ ,ନିଜର ଚିର ଆରାଧ୍ୟା ମାଟି ଦେବତା ଓ ଜୀବନ ଜୀବିକା ର ମାଧ୍ୟମ କୁ ହରେଇବାର କଷ୍ଟ ଆତଙ୍କିତ କରିଥିଲା ।ତଥାପି ଅନ୍ୟ ର ମଙ୍ଗଳ କାମନା କରି କୋହ ଓ ଲୁହ କୁ ଜାକି ଏକ ଅନିର୍ଦ୍ଧିଷ୍ଟ ଯାତ୍ରା ରେ ବସଚ୍ୟୁତ ହେବାକୁ ପଡ଼ିଲା । ପରିଶେଷରେ ସରକାରୀ ନିୟମ କାନୁନ ମଧ୍ୟରେ ୭୪ ଖଣ୍ଡ ଗ୍ରାମ ର ୬୧୩୩ ପରିବାରଙ୍କୁ ଭିଟା ମାଟି ଛାଡ଼ିବାକୁ ପଡ଼ିଲା । ଆର୍ଥିକ କଷ୍ଟ ମଧ୍ୟରେ ଜନ୍ମ ମାଟି ଖାଲି କରିବାକୁ ପଡୁଥିବା ଲୋକେ ଶେଷରେ ଜଳଭଣ୍ଡାର ପରିଧି ମଧ୍ୟରେ ପାହାଡି କ୍ଷେତ୍ର ମାନଙ୍କରେ ପୁଣି ଥରେ ଗ୍ରାମ ର ସେହି ପୁରୁଣା ନାମ କୁ ନେଇ ନୂତନ ଗାଁ ବସାଇବାକୁ ବାଧ୍ୟ ହେଲେ। କାହିଁକି ନା ସେତେବେଳର ସାମାନ୍ୟତମ ସରକାରୀ ସହାୟତା ନୂତନ ଜୀବନ ଧାରଣ ପାଇଁ ସମୁଦ୍ର କୁ ସଂଖେ ପାଲଟି ଥିଲା । ୧୯୯୯ ମସିହାରେ ୧୧୦ ବର୍ଗ କିମି ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳ ଭଣ୍ଡାର ସୃଷ୍ଟି ହେବା ପରେ ବିଭିନ୍ନ ଟାପୁ ମାନଙ୍କରେ ରହିଥିବା ଲୋକଙ୍କ ପାଇଁ ପ୍ରଥମ କରି ସାମାଜିକ ଓ ଅର୍ଥନୀତି ଉପରେ ଗଭୀର ଛାପ ପଡ଼ିବ ଆରମ୍ଭ ହେଲା । ପରବର୍ତ୍ତୀ ଅବସ୍ଥା ରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ଆଦି ମୌଳିକ ଅଧିକାର ମଧ୍ୟ ଅପହଞ୍ଚ ପାଲଟିବାରେ ଲାଗିଲା।ସେମାନଙ୍କ ପାଇଁ ଆରମ୍ଭ ହେଲା ଏକ ଅନିଶ୍ଚିତ ଜୀବନ ଯାତ୍ରା । ଅନେକ ସମୟ ରେ ସେମାନଙ୍କ ପାଇଁ କାଠ ଡଙ୍ଗା ହିଁ ଜୀବନ ରେଖା ପାଲଟିଲା । ଡାଇରିଆ ରେ ମୃତ୍ୟୁ କ୍ରମାଗତ ଡଙ୍ଗା ବୁଡି ଲୋକଙ୍କ ଜୀବନ ଧାରଣ ର ମାନସିକତା କୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଲା । ଲୋକଙ୍କ ମଧ୍ୟରେ ଆଶା ସଂଚାର କଲାଭଳି ସାମାନ୍ୟ ଆଶ୍ଵାସନା ମନୋବଳ କୁ ଟିକକ ଦୃଢ଼ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟର ପ୍ରତାରଣା ପୁଣି ଥରେ ସେମାନଙ୍କୁ ଏକ ଅନ୍ଧାର ଗହ୍ଵର ଭିତର କୁ ଟାଣି ନେଇଥିଲା । ଥିଆମୂଳ ରାମପୁର ବ୍ଲକ ର ଭୌଗୋଳିକ ପରିସୀମା କୁ ଦୁଇ ଭାଗ ରେ ବାଣ୍ଟୁ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଉପରେ ଏକ ସେତୁ ନିର୍ମାଣ ପାଇଁ ୨୦୧୪ ମସିହା ରୁ ପ୍ରସ୍ତୁତି ଆରମ୍ଭ ହେଲା । ୨୦୨୨ ମସିହାରେ ଚୁକ୍ତି ସ୍ବାକ୍ଷରିତ ହୋଇ ୫୪.୯୯ କୋଟି ର କାର୍ଯ୍ୟ ଆରମ୍ଭ ହେବା ସହିତ ୨୦୨୪ ମସିହାରେ ସେତୁ ପୂର୍ଣ୍ଣାଙ୍ଗ ହେବାର ପରିକଳ୍ପନା କରାଯାଇଥିଲା। କିନ୍ତୁ ସମୟ ସ୍ରୋତ ରେ ସବୁକିଛି ଦୂରେଇ ଗଲା । ଏବେ ନିର୍ମାଣ ସ୍ଥଳୀ ରେ କାହାର ଦେଖା ମିଳୁ ନ ଥିବା ଲୋକଙ୍କ ଆଶଙ୍କା କୁ ବଢ଼ାଇବାରେ ଲାଗିଲାଣି । ଠିକ୍ ସେହିପରି ଡି ଚେପଟା ଘାଟ ରୁ କେ ଚେପଟା ଘାଟ ପର୍ଯ୍ୟନ୍ତ ସଡକ ସଂଯୋଗ ପାଇଁ ଗୋଲା ଗାଢ଼ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଟେଣ୍ଡର ଚୁଡାନ୍ତ କରାଗଲା । କିନ୍ତୁ ଏଥି ମଧ୍ୟରେ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ପ୍ରକ୍ରିୟା ମୂଳଦୁଆ ରେ ହିଁ ଅଟକି ରହିଥିବା ଦେଖିବାକୁ ମିଳୁଛି । ଏହା ପୂର୍ଣ୍ଣାଙ୍ଗ ହୋଇ ପାରିଥିଲେ ପୋଡ଼ା ପଦର ପଞ୍ଚାୟତ ର ୧୬ ଟି ଜଳବନ୍ଦୀ ଗ୍ରାମ ପାଇଁ ସଂଯୋଗ ବ୍ୟବସ୍ଥା ହେବା ସହିତ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ସାଙ୍ଗରେ ସଂଯୋଗ ହେଇ ପାରିଥାନ୍ତା । ଏହି ସବୁ ମୂଳ ଆବଶ୍ୟକତା ଲୋକଙ୍କ ପାଇଁ ମରୀଚିକା ପାଲଟି ସାରିଥିବା ବେଳେ ଏବେ ଲୋକେ ଏହା ସରକାରଙ୍କ ବିକାଶ ନାମରେ ପ୍ରତାରଣା ବୋଲି କହିବା ଆରମ୍ଭ କରିଦେଲେଣି।