
ବାରିପଦା -ଉଦଳା,ତା୨୨/୧୦/୨୦୨୬
(କ: ବ୍ଯୁ)
ଆଜି ଉଦଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସାମାଜିକ ସଂଗଠନର ମିଳିତ ଆନୁକୁଲ୍ୟରେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ l ଦୀର୍ଘ ବର୍ଷ ଧରି ଉଦଳା ମହାବିଦ୍ୟାଳୟରେ ସାନ୍ତାଳୀ ଭାଷାକୁ ଅନର୍ସ (ମେଜର) ଓ ଇଲେକଟିଭ୍ (ମାଇନର) ବିଷୟ ଭାବେ ପ୍ରଚଳନ କରିବା ପାଇଁ ଦାବୀ ହୋଇ ଆସୁଅଛି l କିନ୍ତୁ ଆଜି ପର୍ଯ୍ୟନ୍ତ ସାନ୍ତାଳୀ ବିଷୟକୁ ଉକ୍ତ ମହାବିଦ୍ୟାଳୟରେ ଅନର୍ସ ଭାବରେ ଖୋଲାଯାଇ ନାହିଁ l ଯାହା ଦ୍ୱାରା ଏ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ସାନ୍ତାଳୀ ଅନର୍ସ ନେଇ ପାଠ ପଢିବା ପାଇଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି l ଆସନ୍ତା ଶିକ୍ଷାବର୍ଷରୁ ଉଦଳା ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ଖୋଲିବା ପାଇଁ ସଂଗଠନର କର୍ମକର୍ତ୍ତା ମାନେ ଦୃଢ଼ଭାବେ ଦାବୀ ଉପସ୍ଥାପନ କରିଛନ୍ତି l ଏତତ୍ ବ୍ୟତୀତ ଓଡିଶାରେ ଉର୍ଦ୍ଦୁ, ତେଲୁଗୁ ଓ ବଙ୍ଗଳା ଭାଷା ପରି ସାନ୍ତାଳୀ ଭାଷାକୁ ମଧ୍ଯ ଭାଷାଗତ ସଂଖ୍ୟାଲଘୁର ମାନ୍ୟତା ପ୍ରଦାନ କରିବା ପାଇଁ ବିଧାୟକଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l
ବିଧାୟକ ମଧ୍ୟ ଉକ୍ତ ଦାବିକୁ ଓଡିଶା ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ଅତିଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଦାବିପତ୍ର ପ୍ରଦାନ କରିବା ସମୟରେ ନିଖିଳ ଓଡିଶା ସାନ୍ତାଳୀ ସ୍ନାତକୋତ୍ତର ଛାତ୍ର ସଂଘର ସଭାପତି ବିକ୍ରମ ବେଶ୍ରା, ଅଖିଳ ଭାରତ ଅଲଚିକି ଛାତ୍ର ସଂଘର ସଭପତି ସିରୁ ସୋରେନ, ଆଦିବାସୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନର ସଭାପତି ବାଢା ଚରଣ ମୁର୍ମୁ, ଭାରତ ଯାକାତ୍ ମାଝୀ ପାରଗାନା ମହଲର ଜିଲ୍ଲା ଗଡେତ୍ ଖୁଦିରାମ ସୋରେନ, ଜଗ ପାରଗାନା ଲାଲ୍ ମୋହନ ମାର୍ଣ୍ଡି, ପିଲ ପାରଗାନା ବାଲକ୍ ସୋରେନ, ମୁଲୁକ୍ ପାରଗାନା ଦୁର୍ଗା ଚରଣ ମାର୍ଣ୍ଡି, ମୟୁରଭଞ୍ଜ ଆଦିବାସୀ ଯୁବ ସଂଗଠନର ସଭାପତି ବାପି କୁମାର ହେମ୍ବ୍ରମ,ମେଣ୍ଢାଖାଇ ମାଝୀ ବାବା ସାଇବ ସୋରେନ, ରାମହରି ସୋରେନ, ଗୁରୁଭା ହାଁସଦାଃ ପ୍ରମୁଖ ଉପସ୍ଥିତ ଥିଲେ l
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)