ଉଦଳା ବ୍ଲକ ଅନ୍ତର୍ଗତ ରାଢୋ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆଜି ରାଢୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ


ବାରିପଦା -ଉଦଳା ,ତା୧୩/୧୦/୨୦୨୬
(କ:ବ୍ୟୁ)
ଏହି ଉଦଘାଟନୀ ଓ ଉଦଯାପନୀ ସଭାରେ ଉଦଳା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସୁବ୍ରତ କୁମାର କିସ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରଭି ମହୋତ୍ସବ ପିଲାଙ୍କ ସୁପ୍ତ ପ୍ରତିଭାର ବିକାଶ କରିବାରେ ସହାୟକ ବୋଲି କହିଥିଲେ। ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉପରେ ଆଲୋକପାତ କରିବା ସହ ଶୃଙ୍ଖଳିତ ଜୀବନଶୈଳୀ ତଥା ଧର୍ଯ୍ୟ ଓ ନିଷ୍ଠା ରଖି କାର୍ଯ୍ୟ କଲେ ପ୍ରତ୍ୟେକ କାର୍ଯ୍ୟ ସଫଳ ରୂପାୟନ ହୋଇପାରେ ବୋଲି ବକ୍ତବ୍ୟ ରଖିଥିଲେ।

ରାଢୋ ୟୁ.ପି.ଏସ୍. ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଳତୀ ବେହେରା ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ଏ.ବି.ଇ.ଓ.-କମ୍-ବି.ଆର.ସି.ସି. ଶ୍ରୀମତୀ ସନ୍ଧ୍ୟା ରାଣୀ ବାରିକ ଆଜିର ସମାଜରେ ମାନବିକତା ସମ୍ପନ୍ନ ବ୍ୟକ୍ତିର ଆବଶ୍ୟକତା ରହିଛି, ଏଣୁ କୋମଳମତି ପିଲାଙ୍କୁ ପ୍ରାରମ୍ଭିକ ବିଦ୍ୟାଳୟ ଶିକ୍ଷାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଏ ଦିଗରେ ଅଧିକ ଯତ୍ନଶୀଳ ହେବାକୁ ତାଙ୍କ ବକ୍ତବ୍ୟରେ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଲୁଇପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦାସ, ଡିହିରାକୁଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ରାୟବାବୁ, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନୃତ୍ୟ ଗୁରୁ ଶ୍ରୀ ସୁବାଷ ଚନ୍ଦ୍ର ମଲ୍ଲିକ ଏବଂ ଏସ.ଏମ.ସି. ଚେୟାରମ୍ୟାନ ଶ୍ରୀ ଦିନବନ୍ଧୁ ଦାସ ଯୋଗଦେଇଥିଲେ।

ଏହି ମହୋତ୍ସବକୁ ରାଢୋ କ୍ଲଷ୍ଟର ସି.ଆର.ସି.ସି. ଶ୍ରୀ ଲଳିତ କୁମାର ବେହେରା ସଂଯୋଜନା କରିଥିବା ବେଳେ ଶ୍ରୀ ବିଶ୍ୱନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ଏହି ଦିନିକିଆ ମହୋତ୍ସବରେ ମୋଟ ୩୨ ଗୋଟି ଇଭେଣ୍ଟ ଯଥା ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରବନ୍ଧ, ବିତର୍କ, ବକ୍ତୃତା, କୁଇଜ଼, ସୃଜନାତ୍ମକ ଲିଖନ,ଚିତ୍ରାଙ୍କନ, ଚିତ୍ରକଳା, ଶିଳ୍ପ କଳା, ସଂଗୀତ, ସାଂସ୍କୃତିକ ନୃତ୍ୟ, ସର୍ବ କନିଷ୍ଠ ବର୍ଗରେ ଗଣିତ କୁଇଜ, ଗଣିତ ଦୌଡ଼, ଗଳ୍ପ କଥନ, ଚିତ୍ରାଙ୍କନ ଆୟୋଜିତ ହୋଇଥିଲା, ଯେଉଁଥିରେ ୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ୨୦୨୫-୨୬ ଶିକ୍ଷାବର୍ଷରେ ଉଦଳା ବ୍ଲକ ପକ୍ଷରୁ ଅନୁଷ୍ଠିତ ଶ୍ରେଣୀ ୩ ଓ ୫ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ରାଢୋ କ୍ଲଷ୍ଟରର ୪ ଜଣ ଛାତ୍ରଛାତ୍ରୀଙ୍କୁ ସୁରଭି ମଞ୍ଚ ପକ୍ଷରୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି।

ଆଜିର କାର୍ଯ୍ୟକ୍ରମକୁ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ରାଢୋ ୟୁ.ପି.ଏସ୍. ର ସମସ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରୀ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *