
କଟକ, ତା. ୦୬.୧୦.୨୦୨୬ ରିଖ : ସାଂସ୍କୃତିକ ରାଜଧାନୀ କଟକର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ନାଟ୍ୟ ପ୍ରତିଭାକୁ ଚିହ୍ନଟ, ପ୍ରୋତ୍ସାହନ ଓ ଉପଯୁକ୍ତ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ–୨୦୨୬”ର ଚୟନ ପର୍ଯ୍ୟାୟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ “ଶାଶୁ ମାରଣାୟ ନମଃ”, ରଘୁନାଥଜିଉ ଡିଗ୍ରୀ କଲେଜ ପକ୍ଷରୁ “ନୀରବ ଚିଠି”, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ “ଚୁପ୍” ଏବଂ ଆଇନ ମହାବିଦ୍ୟାଳୟ ପକ୍ଷରୁ “ସତ୍ୟ ଯେବେ କଥା କୁହେ” ନାଟକ ପରିବେଷଣ କରାଯାଇଥିଲା। ନାଟକଗୁଡିକ ମାଧ୍ୟମରେ ସାମାଜିକ ଚେତନା, ପରିବେଶ ସୁରକ୍ଷା, ମାନବୀୟ ସମ୍ପର୍କ, ନ୍ୟାୟ, କୁପ୍ରଥା ଓ ସମାଜର ବିଭିନ୍ନ ଦିଗକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇଥିଲା । “ନୀରବ ଚିଠି” ନାଟକରେ ଛାତ୍ରଛାତ୍ରୀଙ୍କ ଜୀବନ୍ତ ଅଭିନୟ, ସଂଳାପ ଉପସ୍ଥାପନା ଓ ମଞ୍ଚ ପରିଚାଳନା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲାବେଳେ ହାସ୍ୟରସରେ ଭରପୁର ନାଟକ “ଶାଶୁ ମାରଣାୟ ନମଃ” ଦର୍ଶକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥିଲା । ସେହିପରି ମାନବୀୟ ସମ୍ପର୍କର ନାଟକ “ଚୁପ” ନାଟ୍ୟପ୍ରେମୀଙ୍କୁ ବିମୋହିତ କରିଥିବାବେଳେ “ସତ୍ୟ ଯେବେ କଥା କୁହେ” ବେଶ ପ୍ରଶଂସା ସାଉଁଟିଛି । ଯୁବ ନାଟ୍ୟଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ, ସଂଳାପ ପ୍ରସ୍ତୁତି, ମଞ୍ଚସଜ୍ଜା, ନିର୍ଦ୍ଦେଶନା ଓ ସଙ୍ଗୀତର ସମନ୍ୱିତ ପ୍ରଦର୍ଶନ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଅଭିନୟ, ନିର୍ଦ୍ଦେଶନା, କାହାଣୀ, ସଂଳାପ, ସଙ୍ଗୀତ ଓ ସାମଗ୍ରିକ ପ୍ରଦର୍ଶନ ଆଦି ବିଭିନ୍ନ ଦିଗକୁ ବିଚାରକମଣ୍ଡଳୀ ଗୁରୁତ୍ୱ ଦେଉଛନ୍ତି। ଆଜିର ଚୟନ ପର୍ଯ୍ୟାୟରେ ଡେପୁଟି କଲେକ୍ଟର ଶତ୍ରୁପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ଚଳଚ୍ଚିତ୍ର ତାରକା ତଥା କଟକ ନାଟ୍ୟୋତ୍ସବର ଉପଦେଷ୍ଟା ଶ୍ରୀତମ ଦାସ, ନାଟ୍ୟ ପରାମର୍ଶଦାତା ତଥା ବିଚାରକମଣ୍ଡଳୀର ସଦସ୍ୟ ଅନନ୍ତ ଦାସ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାସ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ୱିତୀୟ ଦିନର ନାଟ୍ୟ ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀ, ନାଟ୍ୟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଦର୍ଶକ ବିନାମୂଲ୍ୟରେ ଏହି ନାଟକ ଦେଖିପାରିବାର ସୁଯୋଗ ପାଇପାରିବେ।