
ବାରିପଦା/ଉଦଳା,ତା୦୫/୧୦/୨୦୨୬ : ସାଇବର ଠକେଇ ଓ ଅନଲାଇନ୍ ଅପରାଧରୁ ନିଜକୁ ଏବଂ ପରିବାର ଓ ପଡ଼ୋଶୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଉଦଳା ଶିକ୍ଷକ ସଂଘ ପରିସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅଛି । ଏହାକୁ ଉଦଳା ନାଗରିକ ସଚେତନ ମହାମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଳା ପୋଲିସ ସମିତି ପକ୍ଷରୁ ସାଇବର ଅପରାଧର ବିଭିନ୍ନ ଦିଗ ଏବଂ ଏଥିରୁ ସୁରକ୍ଷିତ ରହିବାର ଉପାୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ସମୟରେ ସାଇବର ଠକେଇର ବିଭିନ୍ନ ନୂଆ ପଦ୍ଧତି ସାମ୍ନାକୁ ଆସୁଥିବାରୁ ଅଜଣା ଫୋନ୍ କଲ୍, ସନ୍ଦେହଜନକ ଲିଙ୍କ୍, ଓଟିପି ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ସମୟରେ ସତର୍କ ରହିବାକୁ ଆଲୋଚନା କରାଯାଇଥିଲା। ନିଜେ ସଚେତନ ହେବା ସହିତ ପରିବାର, ପଡ଼ୋଶୀ ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ ଦିଆଯାଇଛି ।
କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ , ଉଦଳା ଥାନା ଅଧିକାରୀ ବନମାଳୀ ବାରିକ , ଉଦଳା ନାଗରିକ ସଚେତନ ମହାମଞ୍ଚର ସଭାପତି ଅଜୟ ବେହେରା ଓ ସମ୍ପାଦକ ଆରତ କୁମାର ପରିଡା , ଉଦଳା ଏନ୍ଏସିର ଭାଇସ୍ ଚେୟାରମ୍ୟାନ୍ ଲିଲି ଭୋଳ ଏବଂ ଥାନାର ମହିଳା ପୋଲିସ୍ ଅଧିକାରୀ ପୂର୍ଣିମା ରାଣୀ ଦାସ ପ୍ରମୁଖ ମଞ୍ଚାସିନ ଥିବାବେଳେ ମହାମଞ୍ଚର ଉପସଭାପତି ଜଗବନ୍ଧୁ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସାଇବର କ୍ରାଇମ ବାବଦରେ ସୂଚନା ପ୍ରଦାନ କରି ଥିଲେ । ଅତିଥି ପରିଚୟ ପରେ ସାଇବର ଅପରାଧର ବୃଦ୍ଧି ଓ ଏହାର ପ୍ରତିରୋଧ ପାଇଁ ନାଗରିକ ସଚେତନତାର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଇବର କ୍ରାଇମରେ ଶିକାର ହୋଇଥିବା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଚିତ୍ତରଂଜନ ବାରିକ ଓ ଜିଲ୍ଲା କୃଷି ଅଧିକାରୀ ପରେଶ ଚନ୍ଦ୍ର ବେହେରା ଓ ମହାମଞ୍ଚର ଉପସଭାପତି କୃଷ୍ଣ ଚୈତନ୍ୟ ସଦୁଆଳ ପ୍ରମୁଖ ସାଇବର କ୍ରାଇମରେ କିପରି ଶିକାର ହୋଇ ଅଛନ୍ତି ସେ ସଂପର୍କରେ କହିଥିଲେ ତତସହ ପରିବେଶବିତ୍ ପଦୁଭାଇ ସାଇବର ଅପରାଧ ଜନିତ ଏକ ଗୀତ ଶୁଣାଇ ଥିଲେ । ଶେଷରେ ମହାମଞ୍ଚର ଆବାହକ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ , ଯୁବକ ଓ ମହିଳା ଯୋଗଦେଇଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)