
ରାଇରଙ୍ଗପୁର ତା ୦୫-୧୦-୨୦୨୬ ରିଖ(କ ବ୍ଯୁ) :
ବାମନଘାଟୀ ଉପଖଣ୍ଡରେ ଚଳିତ ପାର୍ବଣ ଋତୁରେ ମହାମାୟୀ ଜଗଦଜନନୀ ମା ଦୁର୍ଗା, ମା ଗଜଲକ୍ଷ୍ମୀ, ମା କାଳୀଙ୍କ ପୂଜା ତଥା ବିସର୍ଜନ ଉତ୍ସବ ସହିତ ଅନ୍ୟାନ୍ୟ ଧର୍ମୀୟ ପର୍ବକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅପରାହ୍ନ ୪ ଘଟିକା ସମୟରେ ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ସ୍ୱାଗତ କରି ବୈଠକର ମୁଖ୍ୟ ଉଦେଶ୍ୟ ସମ୍ପର୍କ ରେ ପ୍ରକାଶ କରିଥିଲେ।
ଏହା ପରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ବ ବର୍ଷ ଶାନ୍ତି କମିଟି ବୈଠକର ବିବରଣୀ ପଠନ ପୂର୍ବକ ସମସ୍ତ ବିଷୟ ଅବଗତ କରାଇଥିଲେ।
ସମସ୍ତ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସମସ୍ତ ଦିଗ ପ୍ରତି ଦୃଷ୍ଟି ରଖି ସର୍ବସମ୍ମତି କ୍ରମେ ଶାନ୍ତି ଶୃଙ୍ଖଳା ସହିତ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ଭିତରେ ପାର୍ବଣ ପାଳନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆଯାଇଥିଲା.
ବୈଠକରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଣୀ, ପୂର୍ତ୍ତ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ଟାଟା ପାୱାର କତୃପକ୍ଷ, ୱାଟକୋ କତୃପକ୍ଷ, ସହକାରୀ ଅଗ୍ନିଶମ ସେବା ଅଧିକାରୀ, ଅବକାରୀ କତୃପକ୍ଷ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ.
ନିଷ୍ପତ୍ତି ଅନୁଯାୟୀ
ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୂଜା ମଣ୍ଡପ ନିକଟରେ ତଥା ସହରରେ ଆବଶ୍ୟକ ସଂଖ୍ୟକ ପୋଲିସ ମୃତୟନ ପାଇଁ ପୋଲିସ ବିଭାଗ କୁ, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି,ପୂଜା ସମୟରେ ପାନୀୟ ଜଳ ଯୋଗାଣ, ସହରରେ ଉପଯୁକ୍ତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନ,ପଚା ସଢ଼ା ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ରବ୍ୟ ବିକ୍ରୟକୁ ନିଷେଧ କରିବା ସହ ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରିବା ପାଇଁ ପୌରପାଳିକାକୁ ଦାୟିତ୍ୱ ଦିଆଯାଇଛି.ସେହିପରି ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ ସରlବରାହ ଯୋଗାଇଦେବା ତଥା ପୂଜା କମିଟି ମାନଙ୍କୁ ଆବଶ୍ୟକୀୟ ବୈଦ୍ୟୁତିକ ପ୍ରମାଣ ପତ୍ର ଯୋଗାଇଦେବା ପାଇଁ ଟିପିଏନଓଡିଏଲ କୁ ନିର୍ଦେଶ ଦିଆଯାଇଛି.ସେହିପରି ପୂଜା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ର ରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି. ପୂଜା ମଣ୍ଡପ ଗୁଡିକ ନିକଟରେ ପାନୀୟ ଜଳ ଟାଙ୍କି ଯୋଗାଇବା ପାଇଁ ୱାଟକୋ କତୃପକ୍ଷଙ୍କୁ ଅନୁରୋଧ କରାଯାଇଛି. ପୂଜା ସମୟରେ ମଦ ଓ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଇବା ପାଇଁ ଅବକାରୀ କତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିଶମ ଅଧିକାରୀ ଙ୍କୁ ଆବଶ୍ୟକ ପରିମାଣ ର ଅଗ୍ନିନିର୍ବାପକ ଉପକରଣ ପ୍ରସ୍ତୁତ ରଖିବା ଓ ପୂଜା କମିଟି ମାନଙ୍କୁ ଅଗ୍ନିନିରାପଦ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି.ପୂଜା ମଣ୍ଡପ ସ୍ଥାନରେ ଅଗ୍ନିନିର୍ବାପକ ଉପକରଣ ରଖିବା ସହିତ ପୂଜା ଓ ଭସାଣି ଉତ୍ସବ ସମୟ ରେ ରୋଗୀ ଓ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ ନିର୍ଦ୍ଧାରିତ ସୀମିତ ଶବ୍ଦରେ ଡାକବାଜି ଓ ଅନ୍ୟାନ୍ୟ ଶବ୍ଦ ଉପକରଣ ବ୍ୟବହାର କରିବା ପାଇଁ ପୂଜା କମିଟି ମାନଙ୍କୁ ପରାମର୍ଶ ଦିଆଯାଇଛି।
ଜନସାଧାରଣଙ୍କ ସୁବିଧା ପାଇଁ ପୂଜା ମଣ୍ଡପ ଗୁଡିକରେ ସହଜ ଦୃଶ୍ୟମାନ ସ୍ଥାନରେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦତ୍ତ ହେଲ୍ପ ଲାଇନ ନମ୍ବର ଉଲ୍ଲେଖିତ କରିବା ପାଇଁ ପୂଜାକମିଟି ମାନଙ୍କୁ ନିର୍ଦେଶ ଦିଆଯାଇଛି
ସର୍ବୋପରି ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ ରହିବା ପାଇଁ ସଚେତନତା ସୃଷ୍ଟି ଉଦେଶ୍ୟରେ ପୂଜା ମଣ୍ଡପକୁ ନୈବେଦ୍ୟ ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଜରିରେ ଭୋଗ ସାମଗ୍ରି ନଆଣିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
ସହରରେ ରାତ୍ରିସମୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସି ସି କ୍ୟାମେରା ବ୍ୟବସ୍ଥା ପାଇଁ ପ୍ରସ୍ତାବ ଉତ୍ଥାପନ କରାଯାଇଥିଲା। ଏ ବିଷୟରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବା ନେଇ ସୂଚିତ କରାଯାଇଥିଲା।
ଜନସାଧାରଣଙ୍କ ହିତ ଦୃଷ୍ଟିରୁ ପୂଜା କମିଟି ମାନେ ସରକାରଙ୍କ ସମସ୍ତ ନିୟମ ନୀତିକୁ ଅନୁପାଳନ କରି ଦେବଦେବୀଙ୍କ ପୂଜା, ନୀତିକାନ୍ତି ସମ୍ପାଦନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଉତ୍ସବକୁ ରାତ୍ରି ୧୧ ଘଟିକା ମଧ୍ୟ୍ୟରେ ବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରିବା ପାଇଁ ସାଂସଦ ପରାମର୍ଶ ଦେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)