
କଟକ, ତା. ୦୫.୧୦.୨୦୨୬:ସାଂସ୍କୃତିକ ରାଜଧାନୀ କଟକର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବା ସହ ଯୁବ ନାଟ୍ୟ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ମଞ୍ଚ ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ “କଟକ ନାଟ୍ୟୋତ୍ସବ” ର ଦ୍ଵିତୀୟ ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ପାରମ୍ପରିକ ମଞ୍ଚ ପୂଜା ଓ ପ୍ରଦୀପ ପ୍ରଜ୍ୱଳନ ପରେ ନାଟ୍ୟୋତ୍ସବର ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହୋଇଥିଲା।
ଏହି ଅବସରରେ ବାରବାଟୀ–କଟକ ବିଧାୟିକା ଇଂ. ସୋଫିଆ ଫିର୍ଦୋଷ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ନାଟ୍ୟ ପ୍ରତିଯୋଗିତାରେ କେବଳ ବିଜୟ-ପରାଜୟ ଅପେକ୍ଷା ନିଜର ପ୍ରତିଭା ଓ ସୃଜନଶୀଳତାର ସୁନ୍ଦର ପ୍ରଦର୍ଶନକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ମାଟିରେ ଏଭଳି ଏକ ଅନନ୍ୟ ନାଟ୍ୟ ଉତ୍ସବ ଆୟୋଜନ ଯୁବ ପ୍ରତିଭାଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ସୃଷ୍ଟି କରିବା ସହ ଭବିଷ୍ୟତ ପିଢ଼ିର କଳାକାର ସୃଷ୍ଟି କରିବାର ଏକ ଉତ୍ତମ ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିଥିଲେ।
ଆଜି ଚୟନ ପର୍ଯ୍ୟାୟର ପ୍ରଥମ ଦିନରେ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ “ମହାବାହୁ” ନାଟକ ପରିବେଷଣ କରିଥିଲେ। ନାଟକରେ ଜଗନ୍ନାଥ ସଂସ୍କୃତିର ଗାଥାକୁ ନିଆରା ଢଙ୍ଗରେ ପ୍ରସ୍ତୁତ କରାଯାଇଥିବାରୁ ଏହା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଛାତ୍ରଛାତ୍ରୀମାନେ ଅଭିନୟ ସହିତ କାହାଣୀ ରଚନା, ନିର୍ଦ୍ଦେଶନା ଓ ସଙ୍ଗୀତ ଆଦି କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡେପୁଟି କଲେକ୍ଟର ଶତ୍ରୁପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ, ନାଟ୍ୟ ପରାମର୍ଶଦାତା ତଥା ବିଚାରକମଣ୍ଡଳୀର ସଦସ୍ୟ ଅନନ୍ତ ଦାସ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାସ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ କଟକର ସମୃଦ୍ଧ ନାଟ୍ୟ ଐତିହ୍ୟ ଓ ଓଡ଼ିଆ ନାଟ୍ୟକଳାର ଗୌରବମୟ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିବା ସହ କଟକ ନାଟ୍ୟୋତ୍ସବ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କହିଥିଲେ। ନାଟକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ଏହା ସମାଜର ବିଭିନ୍ନ ଦିଗକୁ ପ୍ରତିଫଳିତ କରିବା ସହ ସାମାଜିକ ସଚେତନତା ସୃଷ୍ଟି କରିବାର ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ସେମାନେ ମତ ଦେଇଥିଲେ।
ନେତାଜୀ ସଂସ୍କୃତି ଭବନଠାରେ ଅକ୍ଟୋବର ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଚୟନ ପର୍ଯ୍ୟାୟ ଅନୁଷ୍ଠିତ ହେଉଛି। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ନାଟକ ପରିବେଷଣ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ମୋଟ ୧୩ଟି ଦଳ ସେମାନଙ୍କ ନାଟ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ନାଟ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଦର୍ଶନଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଦଳ ଚୟନ କରାଯିବ।
ନାଟ୍ୟ ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀ ଓ ନାଟ୍ୟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଦର୍ଶକମାନେ ଏହି ନାଟକଗୁଡ଼ିକୁ ବିନାମୂଲ୍ୟରେ ଉପଭୋଗ କରିବାର ସୁଯୋଗ ପାଇବେ।