
ବାରିପଦା, ତା୫/୧୦/୨୦୨୬
(କ ବ୍ଯୁ) :
‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ଆସନ୍ତା ଅକ୍ଟୋବର ୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ‘ସେବା ଜ୍ୟୋତି ଯାତ୍ରା’ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ‘ସେବା ଜ୍ୟୋତି ଯାତ୍ରା’ରେ ପଦଯାତ୍ରା ସହ ବାଇକ୍ ରାଲି ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ମିଶନ ଶକ୍ତିର ମହିଳାଙ୍କ ସମେତ ପ୍ରାୟ ୧୦ ହଜାର ଅଂଶଗ୍ରହଣକାରୀ ସାମିଲ ହେବେ । ଏହି ଅବସରରେ ଉପସ୍ଥିତ ଅଂଶଗ୍ରହଣକାରୀମାନେ ଭର୍ଚ୍ଚୁଆଲ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁବ ସନ୍ଦେଶ ଶୁଣିବେ ।
ଯାତ୍ରାର ସୁଚାରୁ ପରିଚାଳନା ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଯାତାୟାତ ବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ଜିଲ୍ଲାପାଳ ହେମକାନ୍ତ ସୟ୍, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଅଜିତ୍ କୁମାର, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଚିକିତ୍ସାଧିକାରୀ ବିଶ୍ୱନାଥ ଦାସ, ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ଼. ଶୁଭାଶିଷ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁନମୁନ ଗିରି, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)