ଜିଲ୍ଲା ସ୍ପେଶାଲ ସ୍କୁୱାର୍ଡ଼ ଦ୍ୱାରା ଜବତ ହେଲା ୧୨ କେଜି ଗଞ୍ଜେଇ, ମହିଳା ବ୍ୟବସାୟୀ ଅଟକ, ପୁରୁଷ ବ୍ୟବସାୟୀ ଚମ୍ପଟ ।   

ଚଣ୍ଡିଖୋଲ, ତା ୧୬/୯(କ.ବ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ),ଅବକାରୀ ବିଭାଗ ଜିଲ୍ଲା ସ୍ପେଶାଲ ସ୍କ୍ବାୱାର୍ଡ ଦ୍ୱାରା ଆଜି ଚଣ୍ଡିଖୋଲ କୋର୍ଟ ନିକଟରୁ ୧୨ କେଜିର ଚୋରା ଗଞ୍ଜେଇ ଜବତ କରାଯାଇଛି । ଏଥି ସହିତ ଏହି କାରବାରରେ ସମ୍ପୃକ୍ତ ଫୁଲବାଣୀ ଜିଲ୍ଲା ଅଞ୍ଚଳର ଜଣେ ମହିଳାଙ୍କୁ ସ୍ପେଶାଲ ସ୍କୁୱାର୍ଡ଼ ଧରି ବଡ଼ଚଣା ଥାନା ଜିମାରେ ଦିଆଯାଇଥିବା ବେଳେ ଅନ୍ୟ ଜଣେ ପୁରୁଷ ବ୍ୟବସାୟୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ଯାଜପୁର ଜିଲ୍ଲା ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ହେଉଥିବା ନେଇ ଜିଲ୍ଲା ସ୍ପେଶାଲ ସ୍କୁୱାର୍ଡ଼ ପାଖରେ କୌଣସି ସୂତ୍ରରୁ ଖବର ମିଳିଥିଲା । ସ୍କୁୱାର୍ଡ଼ ଟିମ ଏନେଇ ଖବର ପାଇ ଆଜି ଚଣ୍ଡିଖୋଲ ଛକକୁ ଆସି କୋର୍ଟ ନିକଟ ରାସ୍ତାରେ ଏହି କାରବାର ହେଉଥିବା ଦେଖି ୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଫୁଲବାଣୀ ଜିଲ୍ଲା ଅଞ୍ଚଳର ଜଣେ ମହିଳାଙ୍କୁ ଧରିବାରେ ସଫଳ ହୋଇଥିଲା । ତେବେ ଏହି ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଅନ୍ୟ ଜଣେ ପୁରୁଷ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ନେଇ ସୂଚନା ଦିଆଯାଇଛି । ଧରାଯାଇଥିବା ମହିଳା ଜଣଙ୍କୁ ସ୍ପେଶାଲ ସ୍କୁୱାର୍ଡ଼ ବଡ଼ଚଣା ଥାନା ଜିମା ଦେଇଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା  ବେଳେ ଫେରାର ପୁରୁଷ ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *