
ବାରିପଦା/ଉଦଳା, ତା.୨୪/୦୮/୨୦୨୬(କ: ବ୍ଯୁ) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୨୭ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ପ୍ରଣବ ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୧୦୬ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୨୧ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୨୫ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୪ ଜଣଙ୍କୁ ଏକ ଲକ୍ଷ ସତାବନ ହଜାର, ରେଡ଼କ୍ରସ ପାଣ୍ଠିରୁ ୧ ଜଣଙ୍କୁ ୧୦ ହଜାର ମୋଟ ଏକ ଲକ୍ଷ ସତଷଠି ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ବ୍ଲକ ରାଢ଼ୋ ଗ୍ରାମ ପଞ୍ଚାୟତର ସରପଞ୍ଚ ଦାୟିତ୍ୱରେ ଥିବା ନାଏବ ସରପଞ୍ଚଙ୍କ ବିରୁଦ୍ଧରେ ପଞ୍ଚାୟତକୁ ଆସୁଥିବା ଅର୍ଥର ଦୁର୍ବ୍ୟବହାର, ଉଦଳା ଏନ.ଏ.ସି. ରେ ଭଙ୍ଗା ଯାଇଥିବା ୬୦ ରୁ ଉର୍ଦ୍ଧ୍ୱ ଦୋକାନୀ ମାନଙ୍କୁ ପୁନଃ ଥଇଥାନ, କପ୍ତିପଦା ବ୍ଲକର ପଶି ସାହିରୁ ଗୟଳମରା ପର୍ଯ୍ୟନ୍ତ ପକ୍କା ସଡ଼କ ତୁରନ୍ତ ନିର୍ମାଣ ଦାବି, ଉଦଳା ଥାନା ଛକରୁ ବିଶୋଳ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି, ଚୁଳିଆପୋଷି ସରକାରୀ ଉପ୍ରା ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ପ୍ରଦାନ ଓ ବିଦ୍ୟାଳୟ ମଝିରେ ଥିବା ବିଦ୍ୟୁତ ଖୁଣ୍ଟର ଅପସାର, ଉଦଳା ଉପଖଣ୍ଡ ଚିକିତ୍ସାଳରେ ଏକ ମିଶନ ଶକ୍ତି କେଫେ ଥୋଇଥାନ, କପ୍ତିପଦା ବ୍ଲକର ସୋଲଗଡ଼ିଆ ରାଜସ୍ୱ ଗ୍ରାମରେ ସରକାରୀ ଜଙ୍ଗଲ ଜମି ଉପରେ ଥିବା ଆମ୍ଭ ବଗିଚାରେ ଜବର ଦଖଲକାରୀମାନଙ୍କୁ ଉଚ୍ଛେଦ ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ସତ୍ୟ ପ୍ରକାଶ ପାତ୍ର, ସାଇସ୍ୱରୂପ କର, ରେଣ୍ଟା ମୁର୍ମୁ, ଶ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଅନୁଭବ ରାଉତ, ତାପସ ପ୍ରଧାନ, ତପୁ ପାତ୍ର, ଭବାନୀ ପଣ୍ଡା, ଅଜିତ ମହାପାତ୍ର, ତରୁଣକାନ୍ତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)