ରାସ୍ତା ଗର୍ତ୍ତରେ ଖସିଲା ତିନୋଟି ଟ୍ରକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଭୁତୁମୁଣ୍ଡି ଟିକରପଙ୍ଗା ଅଞ୍ଚଳରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ୫୩ ନମ୍ବର ଜାତୀୟ ରାଜପଥର ନୀଳାଚଳ ଛକ ନିକଟରେ ରାସ୍ତା ପାର୍ଶ୍ୱ ଭୁଶୁଡ଼ି ଯିବାରୁ ଏକାବେଳକେ ୩ଟି ବଡ଼ ଟ୍ରକ୍‌ ରାସ୍ତା କଡ଼କୁ ଓଲଟି ପଡ଼ିଛନ୍ତି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ଦେଖାଦେଇଛି।​ପ୍ରାପ୍ତ ସୂଚନା ମୁତାବକ, ୫୩ ନମ୍ବର ଜାତୀୟ ରାଜପଥ ଦେଇ ମହାନଦୀର ବନ୍ୟାଜଳ ପ୍ରବାହିତ ହେବା ସହିତ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଓ ବନ୍ୟା ପାଣି ମାଡ଼ିଆସିବାରୁ ରାସ୍ତାକଡ଼ର ମାଟି ଧୋଇଯାଇଥିଲା। ଫଳରେ ରାସ୍ତାର ପାର୍ଶ୍ୱ ଅଂଶ ଦବି ଯାଇ ଦୁର୍ବଳ ହୋଇପଡ଼ିଥିଲା। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ସାମାନ୍ୟ ବର୍ଷା ଓ ବନ୍ୟାଜଳ ପ୍ରବାହକୁ ଏହା ସହ୍ୟ କରିପାରିଲା ନାହିଁ ଏବଂ ଏପରି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲା ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
​ଚଣ୍ଡିଖୋଲଠାରୁ ପାରାଦ୍ୱୀପ ବନ୍ଦରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା କୁହାଯାଉଛି। ମାତ୍ର କାମର ମାନ ଯାଞ୍ଚ ନକରି କେବଳ ଦେଖାଇବା ପାଇଁ ପିଚୁ କାମ କରାଯାଉଥିବାରୁ ଏଭଳି ଅବସ୍ଥା ଉପୁଜିଛି ବୋଲି ଜନସାଧାରଣ କହିଛନ୍ତି। ବନ୍ୟାଜଳ ଓ ବର୍ଷା ଯୋଗୁଁ ରାସ୍ତା ଏଭଳି ଭାବରେ ଦବିଯିବା ଯାତାୟାତ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ବିଶେଷକରି ମାଲବାହୀ ଗାଡ଼ିଗୁଡ଼ିକ ପାଇଁ ଏହି ସ୍ଥାନଟି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି।​ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ କ୍ଷେତ୍ରର ନିର୍ମାଣ ମାନକୁ କଡ଼ାକଡ଼ି ଭାବରେ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏଥିସହ ତୁରନ୍ତ ଏହି ଭୁଶୁଡ଼ି ଯାଇଥିବା ରାସ୍ତାକୁ ମରାମତି କରି ଯାତାୟାତକୁ ସୁରକ୍ଷିତ କରିବା ପାଇଁ ପ୍ରଶାସନ ଓ ସମ୍ପୃକ୍ତ ଠିକାଦାରଙ୍କୁ ଅନୁରୋଧ କରିଛନ୍ତି। ଯଦି ଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ନ କରାଯାଏ, ତେବେ ଆଗକୁ ଆହୁରି ବଡ଼ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ରିପୋର୍ଟ୍

Leave a Reply

Your email address will not be published. Required fields are marked *