କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ ଶିବିର ରେ ୧୦୩ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ

ବାରିପଦା/ଉଦଳା(କ:ବ୍ଯୁ) ତା.୨୭/୦୭/୨୦୨୬ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ୧୦୩ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ମୟୂରଭଞ୍ଜ, ଧର୍ମାନନ୍ଦ ବେହେରା, ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ଯୋଗ ଦେବା ସହିତ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୯୨ ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୧ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୨୨ ଗୋଟି ସମସ୍ୟାର ତତ୍‌କାଳ ସମାଧାନ କରାଯାଇ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଟ୧,୭୫,୦୦୦/-ଙ୍କା (ଏକ ଲକ୍ଷ ପଚସ୍ତରୀ ହଜାର) ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ କପ୍ତିପଦା ବ୍ଲକ ନୂଆସାହିସ୍ଥିତ କପ୍ତିପଦା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ କିଛି ଅଧ୍ୟାପକଙ୍କ ଅନିୟମିତତା, ମାଙ୍କଡ଼ପଡ଼ା ଗ୍ରାମ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ସରକାରୀ ଜଙ୍ଗଲ ଜମି ଉପରେ ଥିବା ଆମ୍ବ ବଗିଚା ଜବର ଦଖଲକାରୀଙ୍କୁ ଉଚ୍ଛେଦ, କପ୍ତିପଦା ରୁ ମାଙ୍କଡ଼ପଡ଼ା ପଞ୍ଚାୟତ ଦେଇ ପଦ୍ମ ପୋଖରୀ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ପୋଲ ନିର୍ମାଣ, ଉଦଳା ବ୍ଲକ ଯମୁନାଗଡ଼ ଗ୍ରାମରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ସରକାରଙ୍କ ତରଫରୁ ଚାଷ ଜମି ଯୋଗାଇ ଦେବା, ଜୟବନ୍ଧ ଠାରେ ମାଛ ଚାଷ କରିବାକୁ ଜୟବନ୍ଧ ପର୍ଯ୍ୟଟନସ୍ଥଳୀ ପରିଚାଳନା କମିଟିକୁ ଅନୁମୋତି ଦେବା ସହିତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଖୁଣ୍ଟା ବ୍ଲକ ଖୁଦପୁଟଳି ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପ୍ରଦାନ ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ମାନସ ନାୟକ, ସତ୍ୟ ପ୍ରକାଶ ପାତ୍ର, ବିଶ୍ୱଜିତ ବେହେରା, ପାର୍ବତୀ କିସ୍କୁ, ଶ୍ରୀତମ ମହାନ୍ତି, ହିମାଂଶୁ ଶଙ୍ଖୁଆ, ଅନୁଭବ ରାଉତ, ତାପସ ପ୍ରଧାନ, ତପୁ ପାତ୍ର, ଭବାନୀ ପଣ୍ଡା, ଅଜିତ ମହାପାତ୍ର, ତରୁଣକାନ୍ତି ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *