
କୁକୁଡ଼ା ପଲରେ ଗଞ୍ଜାଗୁଡ଼ିକ ଉନ୍ମାଦିତ
ଦେଖି ଲଢ଼େଇ କରୁଥିବାର ଦୃଶ୍ଯ
ବାବୁଭାୟା ହୋଇଥିଲେ ଆହ୍ଲାଦିତ ,
ସେବେ ସେମାନେ ପାଇଥିଲେ ସୂତ୍ର
ଆଉ ଗଞ୍ଜା ଲଢ଼େଇ କରିବାକୁ
ହୋଇଥିଲେ ଶିହରିତ ।
ଆଗରୁ ସେମାନେ ଯେତେବେଳେ
ଗଞ୍ଜା ଲଢ଼େଇ କରୁଥିଲେ
ସେତେବେଳେ ହେଉଥିଲା ନଷ୍ଟ-ଭ୍ରଷ୍ଟ
ଖଡ଼ା-ନେଉଟିଆ ପାଳଙ୍ଗ ଇତ୍ୟାଦି
କିଆରିର ଗଜା-ଗଜରା ଶାଗ,
ଉଚ୍ଛନ୍ନ ହେଉଥିଲା ଗରିବବାପୁଡ଼ାର
ତେଲ-ଲୁଣର ସଂସାର ।
ଏବେ ବାଜିମାତ୍ କରିବାର କୌଶଳ,
ଏଣିକି ଏମାନେ ଗଞ୍ଜାଗୋଡ଼ରେ ଖଞ୍ଜିଲେଣି
ଲୁହାପାତ…. ମୁନିଆଁ ଛୁଞ୍ଚି ଓ ଦାଢ଼ୁଆ କ୍ଷୁର
ଏଣେ ଏବେ ଏ ଲଢ଼େଇରେ
ଗଞ୍ଜାଦ୍ବୟ ହେଲେଣି ରକ୍ତାକ୍ତ,
ତେଣେ ତେବେ ବାବୁଭାୟାମାନେ
ସୁରାପାନରେ ନିମଗ୍ନ ତ
ଉଲ୍ଲାସରେ ଉତଫୁଲ୍ଲିତ !
ସ୍ଥାନ ଏବେ ରକ୍ତରଞ୍ଜିତ
ଦେଖଣାହାରୀ କିନ୍ତୁ ବିମୋହିତ
ହାର୍-ଜିତ୍ ତ ସୁନିଶ୍ଚିତ,
ପରାଜୟ ହେଉଥିବା ଗଞ୍ଜା ଏବେ
ନିଜକୁ ରକ୍ଷା କରିବା ନିମିତ୍ତ
ଦେଖଣାହାରିକ ବେକରେ ଲୋଟିଯିବାକୁ
ଛାଟିପିଟି ହୋଇ ମାରିଲା ଝାମ୍ପ,
ଗଞ୍ଜାର କଁ କଁ ରଡ଼ି ସାଥେ ସାଥେ
ମରିଗଲି ମରିଗଲି ମାନବ ଚିତ୍କାର
ପକ୍ଷୀ-ରକ୍ତ ରକ୍ଷୀ-ରକ୍ତ ହେଲା ଏକାକାର,
ବାବୁଭାୟାଙ୍କର ମିଳିଲାନି କିନ୍ତୁ
କୌଣସି ଖୋଜ୍ ଖବର !!
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର