
କଟକ : କଟକ ନଗର ( ଜିଲ୍ଲା ) ଯୁବ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଆଜି ସଭାପତି ଡ଼. ବିପ୍ଳବ ଶିଳାଦିତ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦେଶର ବର୍ତ୍ତମାନର ବିଭିନ୍ନ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ସମ୍ପ୍ରତି ଘଟୁଥିବା ପ୍ରଶ୍ନପତ୍ର ଲିକ୍ ଘଟଣା, ଦ୍ରବ୍ୟ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ଏବଂ ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥରେ ହୋଇଥିବା କଥିତ ଦୁର୍ନୀତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ବକ୍ତାମାନେ ଅଭିଯୋଗ କରିଥିଲେ ଯେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ଷତିଗ୍ରସ୍ତ ହୋଇଛି ଏବଂ କେନ୍ଦ୍ର ସରକାର ଏହାକୁ ରୋକିବାରେ ବିଫଳ ହୋଇଛନ୍ତି। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ମତ ପ୍ରକାଶ ପାଇଥିଲା।
ବୈଠକରେ ସୋନମ ୱାଙ୍ଗଚୁକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ, ଶିଶିର ରଥ, ରାଜକିଶୋର ସ୍ୱାଇଁ, ଋଷି କାଣ୍ଡି, ଓଡ଼ିଶା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ, ଛାତ୍ର ନେତା ଅର୍ଜିତ ରାଉତରାୟ, ହିତାଂଶୁ ସ୍ୱାଇଁ, ଆଡଭୋକେଟ ଶୁଭରଞ୍ଜନ ରାଉତରାୟ, ବିକାଶ ମିଶ୍ର, ଫୈଜଲ ଅହମ୍ମଦଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।
ଶେଷରେ ଯୁବ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ରାଜପଥରୁ ସଂସଦ ପର୍ଯ୍ୟନ୍ତ ଉଠାଇବା ପାଇଁ ସର୍ବସମ୍ମତିକ୍ରମେ ସଂକଳ୍ପ ଗ୍ରହଣ କରାଯାଇଥିଲା।