

କଟକ ୦୬.୦୬.୨୦୨୬ ରିଖ ଶନିବାର ଦିନ କଟକ କଳା ବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ‘ନାଦ ନିନାଦ’ ଅନୁଷ୍ଠାନର ପକ୍ଷରୁ ବିଶେଷ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ – “ଗ୍ରୀଷ୍ମୋତ୍ସବ- ୨୦୨୬”ର ଉଦଘାଟନ ଦିବସରେ ବହୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଳାକାରମାନେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ଶିଳ୍ପୀମାନେ ଗଣେଶ ବନ୍ଦନା ଓ ପରେ ପରେ ୧୦ଟି ରାଗ ଉପରେ ଆଧାରିତ “ମହ୍ଲାର ଦର୍ଶନ” ପରିବେଷଣ କରିଥିଲେ। ଏଥିରେ ତବଲାରେ ଶ୍ରୀ ଯୋଗେନ୍ଦ୍ର ନାଥ ସ୍ୱାଇଁ, ହାର୍ମୋନିୟମ୍ ରେ ଶ୍ରୀ ବିଶ୍ୱନାଥ ମିଶ୍ର ଓ ଶ୍ରୀ ଏ. ନାରାୟଣ ରାଓ ସହଯୋଗ କରିଥିଲେ।କାର୍ଯ୍ୟକ୍ରମର ପରବର୍ତ୍ତୀ ସୋପାନରେ ଦିଲ୍ଲୀରୁ ଆସିଥିବା ଶ୍ରୀମତୀ ଏ. ମନ୍ଦାକିନୀ ସ୍ୱାଇଁ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କ ସହ ତବଲାରେ ପୁନେରୁ ଆସିଥିବା ଶ୍ରୀ କୌସ୍ତୁଭ ସ୍ୱାଇଁ ଓ ହାର୍ମୋନିୟମ୍ ରେ ଶ୍ରୀ ଅମେୟ ବିଛୁ, ତାନପୁରାରେ ଦେବସ୍ମିତା ମିଶ୍ର ଓ ରିତିକା ସ୍ୱାଇଁ ସହଯୋଗ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ପୁନେରୁ ଆସିଥିବା ବିଶିଷ୍ଟ ଗ୍ବାଲିଅର ଘରାନାର ଗାୟକ ଗୁରୁ ପଣ୍ଡିତ୍ ବିକାଶ କଶାଲକର ଶାସ୍ତ୍ରୀୟ ଗାୟନ ପ୍ରସ୍ତୁତ କରିଥିଲେ। ତାଙ୍କ ସହ ତବଲାରେ ଶ୍ରୀ ଜିତେନ୍ଦ୍ର କୁମାର ସ୍ୱାଇଁ , ତାନପୁରାରେ ଶ୍ରୀ ଏ. ଶିବପ୍ରସାଦ ରାଓ ଓ ଶିବଶଙ୍କର ମହାନ୍ତି , ହାର୍ମୋନିୟମ୍ ରେ ଶ୍ରୀ ଅମେୟ ବିଛୁ ସହଯୋଗ କରିଥିଲେ। ସଭାକାର୍ଯ୍ୟ ଆରମ୍ଭରେ ପଦ୍ମଶ୍ରୀ ଡ଼. ଶ୍ୟାମାମଣି ଦେବୀ, ପ୍ରଫେସର୍ ଡକ୍ଟର. ଶ୍ରୀଜୟ ପଟ୍ଟନାୟକ, ବାରବାଟୀ- କଟକର ବିଧାୟିକା ଇଞ୍ଜିନିୟର ସୋଫିଆ ଫିର୍ଦ୍ଦୋସ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ପରେ ସଙ୍ଗୀତରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ସଙ୍ଗୀତ ସାଧିକା ତଥା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିବା ଡ଼. ସଙ୍ଗୀତା ଗୋସାଇଁଙ୍କୁ ଚଳିତ ବର୍ଷର “ନିଦାଘ ସମ୍ମାନ -୨୦୨୬” ରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ଏ. ମହେଶ୍ୱର ରାଓଙ୍କ ପୌରୋହିତ୍ୟରେ ଏହି ସଭାକାର୍ଯ୍ୟରେ ସମ୍ପାଦକ ଶ୍ରୀମତୀ ନମ୍ରତା ମହାନ୍ତି , ରଞ୍ଜନ କୁମାର ସାହୁ, ସୁଜନ କୁମାର ରାୟଚୌଧୁରୀ, ପ୍ରସନ୍ ଜିତ୍ ପରିଡ଼ା, କାନନ ବାଳା ରାୟଚୌଧୁରୀ , ଅଜୟ କୁମାର ବାରିକ୍ , ବିଜୟ କୁମାର ସ୍ୱାଇଁ , ବନବିହାରୀ ଦାସ, ଲଳିତ ତ୍ରିପାଠୀ , ବନଲକ୍ଷ୍ମୀ କାନୁନଗୋ, ବିଜୟଲକ୍ଷ୍ମୀ ପତି ପ୍ରମୁଖ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ବିଶିଷ୍ଟ ଉଦଘୋଷକ ଶ୍ରୀ ବିଚିତ୍ରାନନ୍ଦ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ବିଶ୍ୱନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।