
ବାରିପଦା(କ: ବ୍ଯୁ)ତା୦୫/୦୬/୨୦୨୬ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବିଶ୍ୱ ପରିବେଶ ଦିବସ ଅବସରରେ “ଧାରଣକ୍ଷମ ଷ୍ଟାର୍ଟଅପ୍ ଉପରେ ମାନସମନ୍ଥନ” ଏବଂ ‘କ୍ଲାଇମେଟ୍ ଦିଦି’ ଓ ‘କ୍ଲାଇମେଟ୍ ଷ୍ଟାର୍ଟଅପ୍’ର ଯୁଗ୍ମ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିଲେ । କୁଳପତି ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ ପରିବେଶ ସଂରକ୍ଷଣ ଏବଂ ଅର୍ଥନୈତିକ ବିକାଶର ସମନ୍ୱୟ ହିଁ ଆଧୁନିକ ସମୟର ମୂଳ ମନ୍ତ୍ର; ଯୁବକମାନେ ଧାରଣକ୍ଷମ ଷ୍ଟାର୍ଟଅପ୍ ଆରମ୍ଭ କରି କେବଳ ନିଜର ରୋଜଗାର ସୃଷ୍ଟି ନୁହେଁ, ସମାଜରେ ପରିବର୍ତ୍ତନ ଆଣିବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ବିଶ୍ୱବିଦ୍ୟାଳୟ ଏହିପରି ଉଦ୍ୟୋଗକୁ ସର୍ବଦା ପ୍ରୋତ୍ସାହିତ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଅର୍ଗାନିକ୍ ସ୍ପେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ବାୟୋଆର୍ଟିଏମ୍ ଇଣ୍ଡଷ୍ଟ୍ରି, କାନାଡାର କଣ୍ଟ୍ରି ମ୍ୟାନେଜର ଡଃ ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଧାରଣକ୍ଷମ ଷ୍ଟାର୍ଟଅପ୍ ହେଉଛି ଭବିଷ୍ୟତର ଚାବି; ଜୈବିକ କୃଷି, ପରିବେଶ-ଅନୁକୂଳ ପ୍ରଯୁକ୍ତି ଏବଂ ପୁନଃବ୍ୟବହାରଯୋଗ୍ୟ ଉପାଦାନ ଉପରେ ଆଧାରିତ ଉଦ୍ୟୋଗ ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାବଲମ୍ବୀ ହେବୁ ନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଛାଡ଼ି ଯିବୁ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଉଦ୍ୟମୀ ହେବା ଉଚିତ୍ ବୋଲି ସେ ମତପୋଷଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଏକ ଯୁବ-କୈନ୍ଦ୍ରିକ ପଦକ୍ଷେପ ହିସାବରେ ‘କ୍ଲାଇମେଟ୍ ଦିଦି’ ଓ ‘କ୍ଲାଇମେଟ୍ ଷ୍ଟାର୍ଟଅପ୍’ର ଲୋକାର୍ପଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ୟୁନିଭର୍ସିଟି ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ସମ୍ୱେଦୀକରଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ ଆଗାମୀ ଦିନର ଜଳବାୟୁ ସଙ୍କଟର ଆହ୍ୱାନ ଗୁଡ଼ିକର ମୁକାବିଲାରେ ସହାୟକ ହେବ ବୋଲି କହିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ୟମିତା ଦିଗରେ ଏଭଳି କାର୍ଯ୍ୟକ୍ରମ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର ସଚେତନତା ଓ ସମ୍ବେଦୀକରଣ ସଂଯୋଜକ ତଥା ଆବାହକ ପ୍ରଫେସର ରାଜେଶ କୁମାର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସମ୍ପାଦିକା ଡ. ବିଷ୍ଣୁପ୍ରିୟା ହାଁସଦା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଯୁଗ୍ମ ସମ୍ପାଦକ ଡ. ଶୁଭେନ୍ଦୁ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ବକ୍ତା ହିସାବରେ ପୂର୍ବୋଦୟ ଓଡ଼ିଶାର ଆବାହକ ଶ୍ରୀ ଓଁକାର ପରିଡ଼ା, ପୂର୍ବୋଦୟ ଓଡ଼ିଶା ଫାଉଣ୍ଡେସନର ଶ୍ରୀ ଚଣ୍ଡୀ ପ୍ରସାଦ ସୁଆର ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରସାୟନ ବିଜ୍ଞାନ ବିଭାଗର ଡ. ଲିଙ୍ଗରାଜ ବେହେରା ଓ ଡ. ଆଶିଷ କୁମାର ଜେନା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ, ଅଣଶିକ୍ଷକ କର୍ମଚାରୀ ଏଭଳି ୨୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଯୋଗଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବୃକ୍ଷରୋପଣ କରାଯାଇଥିଲା ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)