ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ

ଧର୍ମ ନାହିଁ…. ଧର୍ମ ନାହିଁ…. ଧର୍ମ ନାହିଁ…. କହି ମା’ ଗାନ୍ଧାରୀ ଏମିତି ଚିତ୍କାର କରି ଉଠିଲେ ଯେ, ସତେ ଯେପରି ଆମର୍ତ୍ତ-ବୈକୁଣ୍ଠ ଦୋହଲି ଗଲାଭଳି ଅନୁଭୂତ ହେଲା । ଧୃତରାଷ୍ଟ୍ର ଆଗରୁ କେବେ ଗାନ୍ଧାରୀଙ୍କର ଏମିତି ଅଧୈର୍ଯ୍ଯ-ଯନ୍ତ୍ରଣା ଅନୁଭବ କରି ନ ଥିଲେ । ଆଜି ଭୀମ ହାତରେ ଜ୍ଯେଷ୍ଠପୁତ୍ର କୁରୁତିଳକ ମାନୀ ଦୁର୍ଯ୍ୟୋଧନଙ୍କ ମୃତ୍ଯୁ ସମ୍ବାଦ ଶୁଣି ମାତା ଗାନ୍ଧାରୀଙ୍କର ବ୍ଯଥା-ବେଦନା ଅତି ଉଗ୍ର ରୂପ ଧାରଣ କରିଥିଲା । କାରଣ ସେ ଗୋଟିଏ ମାତ୍ର ପୁତ୍ରର ଜୀବନ ସୁରକ୍ଷା ପାଇଁ ‘ପୁତ୍ର-ସୁରକ୍ଷା ବ୍ରତ’ କରି ଧର୍ମଦେବତାଙ୍କୁ ଆକୁଳ ପ୍ରାର୍ଥନା କରୁଥିଲେ ……..

…….. ଗାନ୍ଧାରୀଙ୍କର ଏଭଳି ଗର୍ଜନରେ ଯେମିତି ସ୍ବର୍ଗପୁର ଚମକି ଉଠିଲା ! ଧର୍ମଦେବ ନିଜକୁ କ୍ଷମା କରିପାରୁ ନ ଥିଲେ । ଧର୍ମଦେବ, ବ୍ରହ୍ମଦେବ ଓ ମହାଦେବଙ୍କ ସମେତ ଦେବତାମାନେ ଲଜ୍ଯାରେ ଅତିଷ୍ଠ ହୋଇ ବୈକୁଣ୍ଠପୁରରେ ଶ୍ରୀବିଷ୍ଣୁଙ୍କ ଦରବାରରେ ଏକତ୍ରୀତ ହେଲେ । ଦେବତାମାନଙ୍କର ଏପରି ଆନ୍ଦୋଳନାତ୍ମକ ଆଗମନ ଦେଖି ଶ୍ରୀବିଷ୍ଣୁ ଅଭିନୟାତ୍ମକ ମୁଦ୍ରାରେ କହିଲେ, “କ’ଣ ହୋଇଛି ଦେବଗଣ ! ଆପଣମାନେ ଏତେ ଅସ୍ଥିର ଓ ବିବ୍ରତ ହୋଇ କାହିଁକି ଆସିଛନ୍ତି ? ସ୍ବର୍ଗପୁରରେ କ’ଣ କିଛି ବିପଦ ପଡ଼ିଛି କି ? ଧର୍ମଦେବ ଯମ-ମହାରାଜ ଅଧିକ ବିଷଣ୍ଣ ବୋଧ ହେଉଛନ୍ତି ! କାରଣ କ’ଣ ?”

ଧର୍ମଦେବ କହିଲେ, “ହେ ପ୍ରଭୁ ନାରାୟଣ ! ଆପଣ ତ ଧର୍ମ ରକ୍ଷା କରିବା ପାଇଁ ମର୍ତ୍ତ୍ୟରେ ଅବତାର ଗ୍ରହଣ କରିଛନ୍ତି ! ଧର୍ମ ସଂସ୍ଥାପନ ସହିତ ଦେବତାମାନଙ୍କର ସମ୍ମାନ ତ ବଞ୍ଚାଇବାକୁ ପଡ଼ିବ ! ତେବେ ଧୃତରାଷ୍ଟ୍ରଙ୍କର ସବୁ ପୁତ୍ର ମରିଯିବାର ଆଶଙ୍କା କରି ମାତା ଗାନ୍ଧାରୀ ମାତ୍ର ଗୋଟିଏ ପୁତ୍ରର ଜୀବନ ଭିକ୍ଷା କରି ନିଷ୍ଠାର ସହିତ ଆଜି ଜ୍ଯେଷ୍ଠ-ସଂକ୍ରାନ୍ତି’ରେ ମୋତେ ଉପାସନ (ଏକପୁତ୍ର ସୁରକ୍ଷା ବ୍ରତ) କରିଥିଲେ । ମୁଁ ତାଙ୍କର ପୂଜା ଆରାଧନାରେ ସନ୍ତୁଷ୍ଟ ହୋଇ ଅଭୟ ମୁଦ୍ରାରେ ଥିଲି । କିନ୍ତୁ ଆଜି ଭୀମ ଦୁର୍ଯ୍ୟୋଧନଙ୍କୁ ବଧ କରି କୌରବ ବଂଶ ନିପାତ କରିଛନ୍ତି !

ଶ୍ରୀବିଷ୍ଣୁ ସ୍ମିତ-ହାସ୍ଯ ବଦନରେ କହିଲେ, “ହେ ଧର୍ମରାଜ ! ଆପଣ ମାତା ଗାନ୍ଧାରୀଙ୍କର ଏକପୁତ୍ର ସୁରକ୍ଷା ବ୍ରତରେ ସନ୍ତୁଷ୍ଟ ହୋଇ ବରଦାନର ଅଭୟ ମୁଦ୍ରାରେ ଥିଲେ ବୋଲି ତ ମାନସରୋବରରେ ଦେବୀ ଲକ୍ଷ୍ମୀ ଦୁର୍ଯ୍ୟୋଧନଙ୍କୁ ମାତୃତ୍ବ ସୁରକ୍ଷା କୋଳରେ ବସାଇ ରଖିଥିଲେ । କିନ୍ତୁ ଭୀମର ଗର୍ଜନରେ ଦୁର୍ଯ୍ୟୋଧନଙ୍କ ରକ୍ତ ଏମିତି ଗରମ ହୋଇଗଲା ଯେ’ ସେ ନିଜେ ସୁରକ୍ଷିତ ମାତୃକୋଳରୁ ଡେଇଁ ପଡ଼ି ମରଣମୁଖକୁ ଚାଲିଗଲେ । ଏଥିରେ ଆପଣ ନିଜକୁ ଦାୟୀ କରୁଛନ୍ତି କାହିଁକି … ?

ଧର୍ମଦେବ କହିଲେ, “ପ୍ରଭୁ ! ଆପଣ ତ ମୋର ସମ୍ମାନ ରକ୍ଷା କରିପାରିଥା’ନ୍ତେ ?

ପ୍ରଭୁ ନାରାୟଣ କହିଲେ, “ହଁ ଧର୍ମରାଜ ! ତାହା ତ ହୋଇଛି ! ଆପଣଙ୍କ ସମ୍ମାନ ମଧ୍ଯରେ ସକଳ ଦେବତାମାନଙ୍କର ସମ୍ମାନ ନିହିତ ବୋଲି ଆପଣ କାହିଁକି ଭୁଲି ଯାଉଛନ୍ତି ? ଗାନ୍ଧାରୀଙ୍କ କ୍ରୋଧରେ ଆପଣ ବିଚଳିତ ହୋଇପଡ଼ିଲେ ତ, ଠିକ୍ ! କିନ୍ତୁ ଗାନ୍ଧାରୀଙ୍କର ପରବର୍ତ୍ତୀ ଅଭିନୟ ଓ କାର୍ଯ୍ୟକଳାପ ଦେଖିବାକୁ ଆପଣ ଧୈର୍ଯ୍ୟ ରଖୁ ନାହାନ୍ତି କାହିଁକି ?

ଧର୍ମଦେବ କହିଲେ, “ମାନେ ….. ?

ବୈକୁଣ୍ଠପତି ସ୍ମିତ-ହାସ୍ଯ ବଦନରେ କହିଲେ, “ଆସନ୍ତାକାଲି ମା’ ଗାନ୍ଧାରୀଙ୍କର କାର୍ଯ୍ୟକଳାପ ଉପରେ ଆପଣମାନେ ଦୃଷ୍ଟି ନିକ୍ଷେପ କରନ୍ତୁ ! ଧର୍ମଦେବ ନିଶ୍ଚୟ ତାଙ୍କ ବରଦାନର ପ୍ରସନ୍ନତା ଭାବ ବିଷୟରେ ଜ୍ଞାତସାର ହେବେ । ଏହା ଶୁଣି ସକଳ ଦେବଗଣ ବୈକୁଣ୍ଠପୁରରୁ ସେମାନଙ୍କର ସ୍ବସ୍ଥାନକୁ ପ୍ରସ୍ଥାନ କଲେ …….

ତା’ ପରଦିନ ମା’ ଗାନ୍ଧାରୀ ଦୁଃଖ-ଶୋକରେ ମ୍ରିୟମାଣ ହୋଇ ପାଗଳୀ ପରି ଯୁଧିଷ୍ଠିରଙ୍କୁ ଆକୁଳ ନିବେଦନ କରୁଥିଲେ, “ବାବୁରେ …. ଧନରେ …. ତୁମ୍ଭେମାନେ ତ ମୋର ପୁତ୍ର ! ତୁମ ସବୁ ଭାଇ ଭାଇଙ୍କ ମଧ୍ଯରେ କଳହ ନ ଦେଖିବା ପାଇଁ, ଯୁଦ୍ଧ ନ ଦେଖିବା ପାଇଁ ମୁଁ ଏପର୍ଯ୍ୟନ୍ତ ଆଖିରେ ଅନ୍ଧପୁଟୁଳି ବାନ୍ଧି ରଖିଥିଲି । ଏବେ ତ ଯୁଦ୍ଧ ଶେଷ …. କଳହ ଶେଷ ! ତେଣୁ ତୁମ୍ଭମାନଙ୍କୁ ଟିକେ ଆଖି ପୁରେଇ ଦେଖି ମୋ’ ମାତୃତ୍ବ ହୃଦୟକୁ ଶୀତଳ କରିବି । ଆସ ମୋର ପାଞ୍ଚ ପୁତ୍ର, ମୋ’ ପାଖକୁ ଆସ ! ଭୀମ କାହିଁ …. ମୋ’ ଆଦରର ଭୀମ କାହିଁ ? ଆଃ ଆଃ ବାବୁ ଭୀମ ! ମୁଁ ତୋତେ ଟିକେ ପ୍ରଥମେ ଦେଖି ମୋ’ ମାତୃତ୍ବ ହୃଦୟକୁ ଶୀତଳ କରେ !

ମା’ ଗାନ୍ଧାରୀଙ୍କର ବ୍ୟାକୁଳିତ ଓ ଶୋକାର୍ତ୍ତ ହୃଦୟକୁ ହୃଦୟଙ୍ଗମ କରିପାରୁଥିଲେ ଯୁଧିଷ୍ଠିର । ମା’ ଗାନ୍ଧାରୀଙ୍କ ପାଖକୁ ଯିବା ପାଇଁ ଭୀମଙ୍କୁ ଆଦେଶ ଦେଉ ଦେଉ ହଠାତ୍ ଶ୍ରୀକୃଷ୍ଣ ଏକ ଯୁବକ ସହିତ ସେଠାରେ ଉପସ୍ଥିତ ହୋଇଗଲେ । ଯମାଳୟରୁ ଧର୍ମରାଜ ଅପଲକ ନୟନରେ ଦେଖୁଥିଲେ ଏହି ଦୃଶ୍ୟ । ଗାନ୍ଧାରୀଙ୍କର କୃତ୍ରିମ କଥା ଶୁଣି ସେ ଆଶ୍ଚର୍ଯ୍ୟ ହେଉଥିଲେ ! ଗାନ୍ଧାରୀ ତ ପ୍ରକୃତରେ ଯୁଦ୍ଧ ନ ଦେଖିବା ପାଇଁ ନୁହେଁ, ସ୍ବାମୀଙ୍କ ସମ୍ମାନାର୍ଥେ ନିଜ ଆଖିରେ ଅନ୍ଧପୁଟୁଳି ବାନ୍ଧିଥିଲେ ! ଏବେ ହଠାତ୍ ଶ୍ରୀକୃଷ୍ଣଙ୍କ ସହିତ ଯୁବକଙ୍କୁ ଦେଖି ଅବାକ୍ ହୋଇଗଲେ । ଆରେ …. ଆରେ …. ୟେ’ତ ମା’ ଗାନ୍ଧାରୀଙ୍କର ସର୍ବ କନିଷ୍ଠ ପୁତ୍ର ଦୁର୍ଦ୍ଦକ୍ଷ ! ପତଳା ଶରୀର…. ନିରୀହ ଆଖି…. ଗୋରା ତକତକ ମୁଖମଣ୍ଡଳ ! ଏ ଜୀବିତ !! ତାହାହେଲେ ମା’ ଗାନ୍ଧାରୀଙ୍କର ଏକପୁତ୍ର ସୁରକ୍ଷା-ବ୍ରତ ନିଷ୍ଫଳ ହୋଇନାହିଁ ! ସୁତରାଂ ମୋର ବରଦାନ ମଧ୍ଯ ସାକାର ହୋଇଛି ! ଚମତ୍କାର, ମାୟାଧରଙ୍କର ବିଚିତ୍ର ମାୟା !! ଅତି ଭୟଙ୍କର ମହାଭାରତ ଯୁଦ୍ଧ ପରେ ଅତି ସୁନ୍ଦର ମହାମିଳନର ପର୍ବ !!! ଅନୁତପ୍ତ ହୃଦୟରେ ପ୍ରଭୁ ନାରାୟଣଙ୍କୁ ସ୍ମରଣ କରି ତଥା କୃତଜ୍ଞତା ଜ୍ଞାପନ କରି କହିଲେ, “ହେ ପ୍ରଭୁ ! ଆପଣ ମହାନ୍, ବିଚିତ୍ର ଆପଣଙ୍କ ଲୀଳା ! ଆପଣଙ୍କ ମାୟା ମୁଁ ବୁଝି ନ ପାରି ମୋର ଅଭିମାନର ସ୍ବର ଉଠାଇଥିଲି । ମୋତେ କ୍ଷମା କରନ୍ତୁ ପ୍ରଭୁ ନାରାୟଣ !”

ସ୍ମିତ-ହାସ୍ଯ ବଦନରେ ଶ୍ରୀକୃଷ୍ଣ ଚାହିଁଲେ ଉପରକୁ । ତା’ପରେ ଯୁଧିଷ୍ଠିରଙ୍କୁ ଉପଦେଶାତ୍ମକ ଭଙ୍ଗୀରେ କହିଲେ, “ହେ ଯୁଧିଷ୍ଠିର ! ଗୋଟିଏ ବେଦନାସିକ୍ତ, ଶୋକାର୍ତ୍ତ ଓ ବ୍ୟଥା-ବ୍ୟାକୁଳତା ମାତୃ ହୃଦୟକୁ ଶାନ୍ତ-ଶୀତଳ କରିବା ପାଇଁ ପୁତୁରା ଅପେକ୍ଷା ନିଜର ପୁତ୍ର ହିଁ ଶ୍ରେୟସ୍କର । ଶ୍ରୀକୃଷ୍ଣ ଯୁବକ ଜଣଙ୍କୁ ଦେଖାଇ କହିଲେ, “ୟେ’ ହେଉଛନ୍ତି ମା’ ଗାନ୍ଧାରୀଙ୍କର ସର୍ବ କନିଷ୍ଠ ପୁତ୍ର ଦୁର୍ଦ୍ଦକ୍ଷ ! ଯିଏ ଯୁଦ୍ଧକୁ ପ୍ରବଳ ଭୟ କରନ୍ତି, ଆଉ ଯୁଦ୍ଧ ନ ଦେଖିବା ପାଇଁ ଗୁପ୍ତରେ ଆମ ଶିବିରରେ ମୋ’ ବାହୁଛାୟାତଳେ ଆଶ୍ରୟ ନେଇଥିଲେ । ଗତକାଲି ଦୁର୍ଯ୍ୟୋଧନଙ୍କ ମୃତ୍ଯୁ ତଥା ଯୁଦ୍ଧର ବିଭୀଷିକା ସମାପ୍ତ ହେବାପରେ ମା’ ଗାନ୍ଧାରୀଙ୍କର ଶୋକାବସ୍ଥାକୁ ଅନୁଭବ କରି ମୁଁ ନିଜେ ଦୁର୍ଦ୍ଦକ୍ଷଙ୍କୁ ସାନ୍ତ୍ୱନା ଦେଇ ନେଇଆସିଛି ତାଙ୍କର ଜନନୀ ନିକଟକୁ । ଜନନୀ ତାଙ୍କର ନିଜ ପୁତ୍ରଙ୍କୁ ସ୍ବ-ନୟନରେ ଦେଖି ତାଙ୍କର ବେଦନାସିକ୍ତ ମାତୃ-ପ୍ରାଣକୁ ଉପଯୁକ୍ତ ଶାନ୍ତ-ଶୀତଳ ଓ ପ୍ରଶମିତ କରିପାରିବେ । ପ୍ରଭୁ ଶ୍ରୀକୃଷ୍ଣଙ୍କ କଥାର ମହତ୍ତ୍ବ ଯୁଧିଷ୍ଠିର ସତ୍ଯାନୁଭବ କଲେ । ଉଭୟଙ୍କ ଆଦେଶରେ ଏଥର ଦୁର୍ଦ୍ଦକ୍ଷ ନିଜର ମା’ ଗାନ୍ଧାରୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କ୍ରନ୍ଦିତ କଣ୍ଠରେ ସମ୍ବୋଧନ କଲେ, “ମା’ …. ମା’ …. ମୁଁ ତ ଆପଣଙ୍କ ପୁତ୍ର ମା” ………

କ୍ରୋଧରେ ହୁତାଶନ ହୋଇଥିବା ମା’ ଗାନ୍ଧାରୀ ସମ୍ମୁଖରେ ନିଜର ପୁତ୍ରକୁ ଭୀମ ବୋଲି ଭାବି ଅତି କ୍ରୋଧରେ ମନେମନେ କହୁଥା’ନ୍ତି, “ତୁ ମୋର ସବୁ ପୁତ୍ରଙ୍କୁ ମାରିଛୁ…. ମୁଁ ଆଜି ତୋତେ ଛାଡ଼ିବି ନାହିଁ…. ତୁ ବି ପୋଡ଼ିହୋଇ ମରିଯା’ ….!” ଦୀର୍ଘ ନିଃଶ୍ବାସ ପକାଇ ଦୀର୍ଘ ବର୍ଷର ହୃଦୟରେ ଜମାଟ ବାନ୍ଧିଥିବା କ୍ରୋଧାଗ୍ନି ଏବଂ ନୟନରେ ଭରି ରହିଥିବା ଅଗ୍ନିସ୍ଫୁଲିଙ୍ଗ ଏକାକାର ହୋଇଉଠିଲା । ହଠାତ୍ ଗାନ୍ଧାରୀ ଗର୍ଜନ କରି ତାଙ୍କ ନୟନରୁ ଅନ୍ଧପୁଟୁଳି ଖୋଲିଦେଲେ ପୁତ୍ର ଦୁର୍ଦ୍ଦକ୍ଷ ସମ୍ମୁଖରେ …. ! ଆଣ୍ଠୁ ମାଡ଼ି ମା’ଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କରୁଥିବା ଅବସ୍ଥାରେ ହଠାତ୍ ଅଗ୍ନିବାଣରେ ଚିତ୍କାର କରିଉଠିଲେ ଦୁର୍ଦ୍ଦକ୍ଷ ! ଜଳୁ ଜଳୁ ଚିତ୍କାର କରି କହୁଥିଲେ, “ମା’ …. ମା’ …. ମୁଁ ତୁମ ନିଜ କନିଷ୍ଠ ପୁତ୍ର ଦୁର୍ଦ୍ଦକ୍ଷ ମା’ ……..

ବାସ୍ ….. ନିମିଷକେ ପୋଡ଼ିହୋଇ ପାଉଁଶ ହୋଇଗଲା ସରଳ-ନିରୀହ ପୁତ୍ର ଦୁର୍ଦ୍ଦକ୍ଷ, କୁରୁବଂଶର ସର୍ବ ଶେଷ ଶହେତମ ସନ୍ତାନ ! ନିଜେ ଜନନୀ, ଏକମାତ୍ର ପୁତ୍ର-ସୁରକ୍ଷାବ୍ରତ ପାଳିନୀ ମା’ ଗାନ୍ଧାରୀ ହିଁ ନିଜର ବଂଶକୁ ନିଜେ ଧ୍ବଂସ କରିଦେଲେ !! ହଠାତ୍ ପରିବେଶ ସ୍ତବ୍ଧ ହୋଇଗଲା ! ଦୀର୍ଘ ସାଢ଼େ-ସତର ଦିନ ଯୁଦ୍ଧ ପରେ, ଗତକାଲି ଯୁଦ୍ଧ-ସମାପ୍ତ ଘୋଷଣା ପରେ ମଧ୍ଯ ଆଜି ପୁଣି ଏ କ’ଣ ଘଟିବାକୁ ବାକି ଥିଲା ? ପାଣ୍ଡବ ପାଞ୍ଚଭାଇ ନିର୍ବାକ୍ ହୋଇ ଭୟରେ ଥରୁଥିଲେ, ଆଉ ଆଶ୍ଚର୍ଯ୍ୟଚକିତ ମୁଦ୍ରାରେ ଏ ଦୃଶ୍ୟ ଦେଖୁଥିଲେ । ମାତା ଗାନ୍ଧାରୀ ପୁତ୍ରହନ୍ତା କଳଙ୍କରେ କୋଡ଼ିକଚାଡ଼ି ହୋଇ ଶ୍ରୀକୃଷ୍ଣଙ୍କୁ “ତୋ’ ବଂଶ ବୁଡ଼ୁ ….ତୋ’ ବଂଶ ବୁଡ଼ୁ….” ଅଭିଶାପ ବର୍ଷଣ କରିବାରେ ଲାଗିଥିଲେ । ସ୍ମିତ-ହାସ୍ଯ ବଦନରେ ଶ୍ରୀକୃଷ୍ଣ ଉପରକୁ ଚାହିଁ ଧର୍ମଦେବଙ୍କୁ କହୁଥିଲେ, “ହେ ଧର୍ମଦେବ ! ଦେଖିଲେ ତ, ଆପଣଙ୍କ ପ୍ରସନ୍ନତା ବରଦାନ ମାତା ଗାନ୍ଧାରୀ ପ୍ରାପ୍ତ ହୋଇଥିଲେ, କିନ୍ତୁ ସେ ନିଜେ ସେହି ବରଦାନକୁ ହତ୍ଯା କରିଛନ୍ତି । କୌଣସି ବ୍ରତରେ କୂଟ-କପଟ, ହିଂସା-ଦ୍ଵେଷ ରହିଲେ ଉଭୟ ବ୍ରତ ଓ ବରଦାନ ମଧ୍ଯ ନିଷ୍ଫଳ ହୋଇଯାଏ । ଧର୍ମଦେବ ନିଜକୁ ଦୋଷମୁକ୍ତ ଅନୁଭବ କରୁଥିଲେ । ଶ୍ରୀକୃଷ୍ଣଙ୍କ ବଦନରେ ତଥାପି ଉକୁଟି ଉଠୁଥିଲା ଅପ୍ରଫୁଲ୍ଲିତ ସ୍ମିତ-ହାସ୍ଯ !! ସେହି ସ୍ମିତ-ହାସ୍ଯ ମଧ୍ୟରେ ସେ ଗୁଣୁଗୁଣେଇ ହୋଇ ଦେବୀ ଗାନ୍ଧାରୀଙ୍କୁ କହୁଥିଲେ, “ହେ ଦେବି ଗାନ୍ଧାରୀ ! ମୁଁ ବରଂ ଆପଣଙ୍କ କ୍ରୋଧରେ ଅଭିଶପ୍ତ ହୋଇଯାଏ, ଦୁଃଖ ନାହିଁ । କିନ୍ତୁ ଧର୍ମ ସଂସ୍ଥାପନ ମୋର କୃଷ୍ଣାବତାରର ମୁଖ୍ଯ ଉଦ୍ଦେଶ୍ଯ । ତାହା ଅସମ୍ପୂର୍ଣ୍ଣ ରହିଲେ ମୁଁ ଅନୁଶୋଚିତ ହୋଇରହିଯିବି ! ସଂସାରରେ ଜନନୀମାନେ ସେମାନଙ୍କର ଗର୍ଭସ୍ଥ ସନ୍ତାନମାନଙ୍କର ଯେଭଳି ମଙ୍ଗଳ କାମନା କରନ୍ତି, ଅନ୍ଯ ସମସ୍ତ ସନ୍ତାନମାନଙ୍କର ମଧ୍ଯ ତଦ୍ରୂପ ମଙ୍ଗଳ କାମନା କରିବା ଉଚିତ । ଖାଲି ଗୋଟିଏ ପୁତ୍ରର ଜୀବନ ସୁରକ୍ଷା ନୁହଁ, ସଂସାରର ସକଳ ମାତୃଗଣ ସେମାନଙ୍କର ନିଜ ନିଜର ପୁତ୍ର-ପୁତ୍ରୀଙ୍କର ଜୀବନ (ଆୟୁଷ) ସୁରକ୍ଷା-ବ୍ରତ ସ୍ବଚ୍ଛ ପବିତ୍ର ହୃଦୟରେ ନିଷ୍ଠାର ସହିତ ଧର୍ମଦେବଙ୍କୁ ପୂଜା-ଅର୍ଘ୍ୟରେ ଆରାଧନା କରନ୍ତୁ ! ଏହା ଧର୍ମର ବାର୍ତ୍ତା ! ପୁତ୍ର-ପୁତ୍ରୀବ୍ରତ ନିଷ୍ଫଳ ନୁହେଁ । ପୁତ୍ର-ପୁତ୍ରୀ ପିତାମାତାଙ୍କର ସମ୍ପଦ ଓ ଉତ୍ତରଦାୟାଦ । ତାଙ୍କର ଯତ୍ନ ଓ ସୁରକ୍ଷା ପିତାମାତାଙ୍କର ପ୍ରଥମ ଓ ପରମ କର୍ତ୍ତବ୍ଯ । ମୁଁ ପବିତ୍ର ଜ୍ୟେଷ୍ଠ-ସଂକ୍ରାନ୍ତି’ରେ ଧର୍ମଦେବତାଙ୍କ ଚରଣାରବିନ୍ଦରେ କଲ୍ଯାଣମୟୀ ଜନନୀମାନେ ସ୍ବଚ୍ଛ-ପବିତ୍ର ହୃଦୟରେ ଏହି ସନ୍ତାନ-ସୁରକ୍ଷା-ବ୍ରତ ମାଧ୍ୟମରେ ପୁତ୍ର-କନ୍ଯାଙ୍କର ମଙ୍ଗଳ ସହିତ ସାଂସାରିକ ମଙ୍ଗଳ ବିଧାନ କରିବାକୁ ଉଦ୍ଘୋଷଣା କରୁଅଛି ।” ଏହି ନୀରବତାର ସ୍ବର ପରେ ପୁଣି ପ୍ରଫୁଲ୍ଲିତ ବଦନରେ ଫୁଟିଉଠିଲା : ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ଯ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର, ଯାଜପୁର – ୭୫୫୦୧୧
ମୋବାଇଲ ନଂ : ୯୦୩୮୩୯୭୧୩୫

Leave a Reply

Your email address will not be published. Required fields are marked *