“ଆମ ନୂଆବର୍ଷ ବିଷୁବ”ଓଡିଆ ନୂଆବର୍ଷ ମହାବିଷୁବର ପାବନ ଅବସରରେ ସମସ୍ତ ଭାଇଭଉଣୀଙ୍କୁ ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସଦଭାବନାର ଶୁଭେଚ୍ଛା ଜଣାଇଛନ୍ତି ବିଜୟଲକ୍ଷ୍ମୀ ପଟନାୟକ।

ବାରିପଦା/ଉଦଳା ( କ ବ୍ୟୁ ) : ଓଡିଆ ମାସଗଣନା ଅନୁସାରେ ବୈଶାଖ ହିଁ ସୌରବର୍ଷର ପ୍ରଥମ ମାସ । ଚୈତ୍ର ପୂର୍ଣ୍ଣିମାରେ ବସନ୍ତ ଋତୁର ଶେଷ ହୁଏ ଏବଂ ବୈଶାଖ ସଂକ୍ରାନ୍ତିରୁ ଗ୍ରୀଷ୍ମ ଋତୁ ଆରମ୍ଭ ହୁଏ । ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣମୀ ଯୋଗୁଁ  ଏହାର ନାମବୈଶାଖ ହୋଇଛି ।
ଅନନ୍ତ ସମୟର କାଳଖଣ୍ଡରେ ସୂର୍ଯ୍ୟ ହିଁ ଏ ସକଳ ସମୟର ଆଲୋକ ବର୍ତ୍ତିକା ଏବଂ ଆଧାର । ସଂକ୍ରାନ୍ତି ଅର୍ଥ ସଂକ୍ରମଣ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସଂକ୍ରମଣ କରୁଥିବାରୁ ତାହା ସଂକ୍ରାନ୍ତି । ମହା ବିଷୁବ ସମନ୍ବୟ, ସମତା, ଶାନ୍ତି ଓ ସାମ୍ୟନୀତିର ପ୍ରତୀକ । ଏହା ଜ୍ଞାନ, ବୁଦ୍ଧି, ମହାତ୍ମା, ଦେବତା, ସନ୍ଥ, ସାଧୁ, ପଣ୍ଡିତ ମାନଙ୍କୁ ଆରାଧନାର ସମୟ ଏବଂ ଜ୍ଞାନୀ ଗୁଣୀ ହେବାର ମଧ୍ୟ ସମୟ । ସାମାଜିକ ଓ ସାଂସ୍କୃତିକ ଦୃଷ୍ଟି କୋଣରୁ ମହାବିଷୁବ ସଂକ୍ରାନ୍ତି ଉତ୍କଳର ବୌଦ୍ଧିକ, ସାମାଜିକ, ସାଂସ୍କୃତିକ ଓ ପାରିବାରିକ ତଥା ବ୍ୟକ୍ତିଗତ ଉତ୍ତରଣ ନିମନ୍ତେ ପଥ ପ୍ରଶସ୍ତ କରିଥାଏ । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ଏହା ଅତ୍ୟନ୍ତ ଶୁଭଙ୍କର । ସୂର୍ଯ୍ୟଙ୍କର ତେଜ ଧୀରେ ଧୀରେ ବୃଦ୍ଧିପାଇ ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟ ବିଷୁବରେଖାରେ ଅବସ୍ଥାନ କରୁଥିବାରୁ ତାଙ୍କର କିରଣ ଅଧିକ ପ୍ରଖର ହୁଏ । ଏହା ବାର୍ଷିକ ଗତିର ଅୟମାରମ୍ଭ କାଳ ହୋଇଥିବାରୁ ନବ ଉନ୍ମାଦନା, ନବ ଭାବନା, ନବ ଉତ୍ସାହ ଜାଗ୍ରତ ହୋଇଥାଏ । ଅଗଣିତ ଜୀବ ଚେତନ ମଧ୍ୟରେ ଚେତନା, ମିଠାପଣ, ସୌନ୍ଦର୍ଯ୍ୟ ପିପାସା, ପୁଷ୍ପରେ ବାସ୍ନା ଭରିଯାଏ । ବିଷୁବରେଖାରେ ଗତି କଲାବେଳେ ଭାରତର ଅବସ୍ଥିତି ଉତ୍ତର ଗୋଲାର୍ଦ୍ଧରେ ଥିବାରୁ ଏଠାରେ ପ୍ରଖର ଗ୍ରୀଷ୍ମ ଅନୁଭୂତ ହୁଏ । ଏହାକୁ ସଭ୍ୟତାର ଆଦିକାଳରୁ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି , ପଣା ସଂକ୍ରାନ୍ତି ଆଦି ନାମରେ ପାଳନ କରାଯାଏ । ମେଷ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଉତ୍ତରାୟଣ ଗତି କରୁଥିବାରୁ ଏହା ବର୍ଷର ପ୍ରଥମ ଦିନ ଭାବରେ ବା ନବବର୍ଷ ଭାବରେ ପାଳନ କରିବା ବିଧେୟ । ଏହିଦିନ ଦିବସ ଓ ରାତି ସମାନ ହୋଇଥାଏ ।
ଏହିଦିନ ପଣାପାଣି ଦିଆଯାଇ  ମନୁଷ୍ୟ, ପଶୁପକ୍ଷୀଙ୍କୁ, ବୃକ୍ଷ ଲତାଙ୍କୁ ତୃପ୍ତ କରି ଧର୍ମକାର୍ଯ୍ୟ କରାଯାଏ । ପଣା ଏକ ଉତ୍କୃଷ୍ଟ ପାନୀୟ ଯାହା ଛତୁଆ, ବେଲ, କଦଳୀ, ନଡିଆ, ଛେନା, ଗୋଲମରିଚ, ଅଦା, ଗୁଡ ଆଦିରେ ପ୍ରସ୍ତୁତ ହୋଇଥାଏ । ମନ୍ଦିର ମାନଙ୍କରେ , ରାସ୍ତାରେ ପଣା ବଣ୍ଟାଯାଏ । ଦରିଦ୍ରଙ୍କୁ ଛତା ଆଦି ପ୍ରଦାନ କରାଯାଏ । ରାମଦୂତ ହନୁମାନଙ୍କ ଜୟନ୍ତୀ ମଧ୍ୟ ଏହିଦିନ ପାଳନ କରାଯାଏ । ବିଭିନ୍ନ ସ୍ଥାନରେ ବାର୍ଷିକ ଉତ୍ସବ ପାଳନ କରାଯାଏ । ଲିଖନ, ପଠନ ନିମନ୍ତେ ଏହା ଅତ୍ୟନ୍ତ ଶୁଭଦିନ । ସେଥିପାଇଁ ମହାବିଷୁବ ମିଳନ ମହାସମାରୋହରେ ପାଳନ କରାଯାଏ ।

ତୁଳସୀ ମୂଳରେ ଜଳଦାନ ଓ ପୂଜନ, ବର, ଅଶ୍ବସ୍ଥ ଓ ବେଲ ବୃକ୍ଷ ମୂଳରେ ଜଳଦାନ, ବସୁନ୍ଧରା ଠେକି ଟାଙ୍ଗି ବୁନ୍ଦା ବୁନ୍ଦା ଜଳ ସିଞ୍ଚନ କରାଯାଏ । ଗୋମାତା, ପଶୁପକ୍ଷୀଙ୍କୁ ଜଳଦାନ ମଧ୍ୟ କରାଯାଏ । ସାହିତ୍ୟ ସଭା, ସାହିତ୍ୟ ଚର୍ଚ୍ଚା, କବିତା ପାଠୋତ୍ସବ ସଂସ୍କୃତିର ଅଙ୍ଗ ହୋଇଥିବାରୁ ସାହିତ୍ୟିକ ସମାରୋହମାନ ଅନୁଷ୍ଠିତ ହୁଏ ବିଷୁବ ମିଳନ ଭାବରେ । ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ପହିଲା ବୈଶାଖି, ବିହ୍ୟୁ ନାମରେ ଏହିପର୍ବ ପାଳିତ ହୁଏ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *