ଶ୍ରୀମନ୍ଦିରରେ ରାମାଭିଷେକ ନୀତି : ବଡ଼ଦାଣ୍ଡରେ ହେବ ନନ୍ଦୀ ଗ୍ରାମ, ସାହିଯାତର ଅନ୍ତିମ ପର୍ବ

ପୁରୀ, ୧୨/୦୪(ବଳରାମ ତ୍ରିପାଠି): ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ପାଳନ ହେବ । ଏଥିସହ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ ଅନୁଷ୍ଠିତ ହେବ । ଯାତର ଶେଷ ଲୀଳାରେ ଗୌଡ଼ବାଡ଼ ସାହି ବାସିନ୍ଦା ସାମିଲ୍ ହୋଇ ଠାକୁରଙ୍କ ନୀତି କରିବେ । ଶେଷ ଯାତର ମୁଖ୍ୟ ଚରିତ୍ର ପ୍ରତିହାରା ହନୁମାନ । ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ସମ୍ମୁଖରେ ନନ୍ଦିଗ୍ରାମ ନିର୍ମାଣ ହେବ ।

ଶ୍ରୀରାମ, ଦେବୀ ସୀତା, ଶ୍ରୀ ଲକ୍ଷ୍ମଣ, ଭରତଙ୍କ ସହ ରୁପା କଠଉ, ଶତ୍ରୁଘ୍ନ, ବୈଶିଷ୍ଠ ରୁଷି ଓ ହନୁମାନ ଏକତ୍ରିତ ହୋଇ ପଟୁଆରରେ ଶ୍ରୀମନ୍ଦିରରୁ ବାହାରି ନନ୍ଦିଗ୍ରାମଠାରେ ପହଞ୍ଚି ଠାକୁରଙ୍କ ନୀତି କରିବେ । ଗୌଡ଼ବାଡ଼ ସାହି ଆଖଡ଼ାରୁ ଭରତ, ଶତ୍ରୁଘ୍ନ, ବଶିଷ୍ଠ ଋଷି ଓ ଶ୍ରୀହନୁମାନ ପଟୁଆରରେ ବାହାରିବେ । ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ହୋଇ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦେଇ ବଡ଼ଦେଉଳକୁ ପ୍ରବେଶ କରିବେ । ଠାକୁରଙ୍କ ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ନିକଟରେ ବେଶଧାରୀମାନେ ଦଣ୍ଡାୟମାନ ହୋଇଥିବେ । ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ଆଜ୍ଞାମାଳ ଓ ମେକାପ ଭଣ୍ଡାର ଘରୁ ରୁପା କଠଉ ଆଣି ଭରତଙ୍କ ହସ୍ତକୁ ପ୍ରଦାନ କରିବେ । ପୂର୍ବରୁ ପଣ୍ଡା ନିଯୋଗ ନିକଟରେ ବିମାନରେ ବିଜେ ହୋଇଥିବେ ଶ୍ରୀରାମ, ଶ୍ରୀଲକ୍ଷ୍ମଣ, ଦେବୀ ସୀତା ଓ ହନୁମାନଙ୍କ ଚଳନ୍ତି ପ୍ରତିମା । ପରେ ସିଂହଦ୍ୱାର ଦେଇ ବେଶଧାରୀଙ୍କ ସହ ଦିଅଁଙ୍କ ପଟୁଆର ନନ୍ଦୀ ଗ୍ରାମ ଯାତ୍ରା କରିବେ ।

ବଡ଼ଦାଣ୍ଡ ମାର୍କେଟ ଛକ ସ୍ଥିତ ଅସ୍ଥାୟୀ ଚାଞ୍ଚ ଗୃହ ହୋଇଥିବ ନନ୍ଦୀ ଗ୍ରାମ । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଏପରି ଦିବ୍ୟ ଲୀଳା ଗୌଡ଼ବାଡ଼ ସାହିଆଙ୍କ ପକ୍ଷରୁ ପାଳନ ହେବ । ଏହି ନୀତି ନନ୍ଦୀ ଗ୍ରାମ ଯାତ୍ରା ସେହିଠାରେ ସମ୍ପନ୍ନ ହେବ । ପରେ ଶ୍ରୀରାମଚନ୍ଦ୍ର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ମହାଲକ୍ଷ୍ମୀଙ୍କ ଜଗମୋହନରେ ରାମାଭିଷେକ ନୀତି ସମ୍ପନ୍ନ ହେବ । ଏଥିସହ ଗୌଡ଼ବାଡ଼ ସାହିର ଅଡ଼ଙ୍ଗ ତିଆଡ଼ି, ଖାସ ଓ ଜମାନ ଗଡ଼ ଜାଗା ନାମରେ ତିନି ମେଳ ରହିଛି । ଶେଷ ସାହିଯାତ ଅବସରରେ ଅଡ଼ଙ୍ଗ ତିଆଡ଼ି ଜାଗା ପକ୍ଷରୁ ନିଶାଣ ଶୋଭାଯାତ୍ରା ସହ ଅନ୍ୟ ଜାଗା ପକ୍ଷରୁ ଭୁଆସିକ ବାହାରି ସାହି ଭ୍ରମଣ କରିବେ।

Leave a Reply

Your email address will not be published. Required fields are marked *