
ପୁରୀ: ମନରେ ନାହିଁ କିଛି ପାପ । ହୃଦୟ ବି ପରିସ୍କାର । ସଂପୂର୍ଣ୍ଣ ସମର୍ପଣ ମନୋଭାବ ନେଇ ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ଅଳଙ୍କାରର ଗଣତି ମଣତି । ସେଥିପାଇଁ ତ ସବୁ ସୁରୁଖୁରୁରେ ଚାଲିଛି । ଆଉ ଯଦି ଉଦ୍ଦେଶ୍ୟ ମନ୍ଦ କିମ୍ବା ଚୋରି ମନୋବୃତ୍ତି ନେଇ ରତ୍ନଭଣ୍ଡାର ଯାଅ । ତେବେ ନିଶ୍ଚିତ ଭୋଗିବା ଥୟ । କାରଣ ଭିତରକୁ ଗଲେ ଲୋକନାଥଙ୍କ ବାହାନ ସେଠାରେ ଦେଖାଦେବେ । ନ୍ୟୁଜ ୭ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ।
ସୂଚନା ଥାଉକି, ଆସନ୍ତା କାଲିଠୁ ଅର୍ଥାତ୍ ଏପ୍ରିଲ୍ ୮ରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ । ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ଥିବା ଚଳନ୍ତି ଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା। ତେବେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।
ତାଙ୍କ କହିବା କଥା ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଏଥି ସହ ହୀରା, ଲୀଳା, ମୋତି ମାଣିକ୍ୟ ମଧ୍ୟ ରହିଛି । ଏଣୁ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବା ପରେ ଏକ ନୂଆ ଅଳଙ୍କାର ସେଟ୍ ମହାପ୍ରଭୁଙ୍କ ପାଇଁ କରାଯାଉ ବୋଲି ସେ ମତ ରଖିଛନ୍ତି। ପୂର୍ବରୁ ବି ଅନେକ ସେବାୟତ ମହାପ୍ରଭୁଙ୍କ ଆଉ ଗୋଟିଏ ଅଳଙ୍କାର ସେଟ୍ ଟିଏ କରିବାକୁ ସରକାରଙ୍କୁ ଦାବି କରିଥିଲେ ।