
ସୁଖ ଅଛି, ଦୁଃଖ ଅଛି
ଦୁହେଁ ବି ନାହାଁନ୍ତି
କଳକଳ ଜୀବନ ପ୍ରବାହ
କାରଣ, ଜୀବନଟା ଜୀବନ କେବଳ ।
ପାପ ଅଛି, ପୁଣ୍ଯ ଅଛି
ଦୁହେଁ ବି ନାହାଁନ୍ତି
ବିଧିର ବିଧାନ ରଚିତ
ଜୀବନଟା ଖାଲି ମହାକାଳ ।
କଳା ଅଛି, ଧଳା ଅଛି
ଦୁହେଁ ବି ନାହାଁନ୍ତି
ରଙ୍ଗୀନ ଜୀବନର ଗାତ୍ରେ
ଚଳଚ୍ଚିତ୍ର ଜୀବନ କେବଳ ।
ବିଷ ଅଛି, ଅମୃତ ବି
ଦୁହେଁ ବି ନାହାଁନ୍ତି
ପାଚକଖାନାରେ ତଥାପି
ଛନ୍ଦା-ଛନ୍ଦି ଜୀବନ କେବଳ ।
ସତ ଅଛି, ମିଛ ଅଛି
ଦୁହେଁ ବି ନାହାଁନ୍ତି
ଘଟିଛି ଘଟଣା କିନ୍ତୁ
ମାୟାଜାଲେ ଜୀବନ କେବଳ ।
ଅଛି ଅତୀତ ଓ ଭବିଷ୍ୟତ
ଦୁହେଁ ସଂଜ୍ଞାହୀନ
ଆହୁଲା ମାରୁଛି ବର୍ତ୍ତମାନ
ସାଗରରେ ଜୀବନ କେବଳ ।
ହସ ଅଛି, କାନ୍ଦ ଅଛି
ଦୁହେଁ ବି ନାହାଁନ୍ତି
ସବୁ ଖାଲି ଶବ୍ଦ କୋଳାହଳ
ଜୀବନଟା ନଦୀ ସ୍ରୋତ ଜଳ ।
ଶାନ୍ତି ଅଛି, ଅଶାନ୍ତି ବି
ଦୁହେଁ ବି ନାହାଁନ୍ତି
ସବୁ ଖାଲି ପ୍ରହେଳିକା
କାରଣ, ଜୀବନଟା ଜୀବନ କେବଳ !!