
ଭାବିଥାଏ ଅନେକଥର
ଆମ ଘର ମୂଷାଗୁଡ଼ାଙ୍କୁ ମାରି ଦେବାକୁ
କିମ୍ବା ତଡ଼ିଦେବାକୁ ହେବ ।
କେତେବେଳେ ଯନ୍ତା କିଣିଥାଏ ତ
ଆଉ କେବେ ବଜାରରୁ ଆଣିଥାଏ ବିଷ
କିନ୍ତୁ ଉପଯୋଗ କଲାବେଳେ ହିଁ
ସାମ୍ନାରେ ଠିଆ ହୋଇଯାଆନ୍ତି ଗଣେଶ,
ଆଉ ମାରିପାରେ ନାହିଁ,
ଏମିତି ଏମିତି ବିତିଯାଏ ବର୍ଷ ପରେ ବର୍ଷ,
ଧାନ-ଚାଉଳ ବହିବସ୍ତାନି
ବାରମ୍ବାର ହେଉଥାଏ ନଷ୍ଟ-ଭ୍ରଷ୍ଟ ।
ଥରେ ମୋ କବିତା ଗ୍ରନ୍ଥର ପାଣ୍ଡୁଲିପି
ମୂଷା ସବୁ କାଟିକୁଟି
କରିଦେଲେ ନିଶ୍ଚିହ୍ନ,
ଭାବିଲି ମୂଷାଗୁଡ଼ାଙ୍କୁ ପରୋକ୍ଷରେ
ମାରିବାକୁ କିମ୍ବା ତଡ଼ିବାକୁ ହେବ ।
ପୋଷିଲି ଗଣ୍ଡାଏ ବିରାଡ଼ି,
କିଛିଦିନ ପରେ ମୂଷାସବୁ
ମରି-ହଜି ହେଲେ ଅନ୍ତର୍ଦ୍ଧାନ,
ତା’ପରେ ବିଲେଇ କିନ୍ତୁ କଲେ ଉତ୍ପାତ
ଆମ ଘରର ମାଛ-ଶୁଖୁଆ
ଅବା କ୍ଷୀର ଲବଣି
ସବୁ ତାହାଙ୍କ ଆହାର,
ମଥାକୁ ମୋ ଉଠିଗଲା କ୍ରୋଧ
ତେଣ୍ଟା ଧରି ସେମାନଙ୍କୁ କରିଦେଲି ବଧ,
ଏହା ଶୁଣି କୁଳ-ପୁରୋହିତ
ମୋ’ ମୁଣ୍ଡରେ ନେସିଦେଲେ
ମଞ୍ଜାରି ହତ୍ଯାର ଦୋଷ ।
କୁଳ-ପୁରୋହିତ କହୁଥିଲେ ପ୍ରତିକାର….
ପ୍ରଭୁ ଶ୍ରୀ ଗଣେଶ ବି କହୁଥିଲେ
ପ୍ରତ୍ଯକ୍ଷ ହେଉ ଅବା ପରୋକ୍ଷରେ
ମୋ ବାହନକୁ ମାରିବାର ଫଳ ■|