ବିଶିଷ୍ଟ ମୃଦଙ୍ଗ ବାୟକ ଗୋବିନ୍ଦ ଚନ୍ଦ୍ର ବସନ୍ତିଆଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ମୃଦଙ୍ଗ ବାୟକ ଗୋବିନ୍ଦ ଚନ୍ଦ୍ର ବସନ୍ତିଆଙ୍କ ବିୟୋଗ ହୋଇଯାଇଛି।ତତ୍କାଳୀନ ବେଲମା କୁଳ ଅଧିକାରୀ ସ୍ବର୍ଗତ ଲକ୍ଷ୍ମଣ ବସନ୍ତିଆଙ୍କ ଦ୍ଵିତୀୟ ପୁତ୍ର ରୁପେ ୧୯୪୮ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ସୁନାଥର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ କାଳରୁ ହିଁ ପ୍ରାଥମିକ ଶିକ୍ଷା ପୂର୍ବରୁ ସେ ମୃଦଙ୍ଗ ବାଦନ ଓ ଗୀତ ଗାନ ଶିକ୍ଷା ଗ୍ରହଣ କରିଥିଲେ। ଜଣେ ପ୍ରତିଷ୍ଠିତ ମୃଦଙ୍ଗ ବାୟକ ଓ କୀର୍ତ୍ତନ ଗାୟକ ରୂପେ ଗଂଜାମ ଜିଲ୍ଲା ସମେତ ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିଲେ। ଏହାଛଡା ମଞ୍ଚ ନାଟକ ”ଶକୁନ୍ତଳା” ରେ ଦୁଷ୍ମନ୍ତ ଭୂମିକାରେ ଏବଂ କୃଷ୍ଣ ଲୀଳା ରେ ବାୟକ ରୂପେ ବେଶ ପରିଚିତ ଥିଲେ। ନିଜ ଗ୍ରାମରେ ଗାନ୍ଧର୍ବ କଳା ପରିବେଷଣ କେନ୍ଦ୍ର ଗଠନ କରି ଆଞ୍ଚଳିକ ସ୍ତରରେ ମୃଦଙ୍ଗ ବାଦକ ସୃଷ୍ଟି କରିବା ତାଙ୍କର ଏକ ଦୃଢ଼ ପ୍ରୟାସ ଥିଲା। ସେ ବହୁ ସ୍ଥାନରେ ମୃଦଙ୍ଗ ଆଖଡ଼ା କରି ଗୁରୁ ରୂପେ ପରିଚିତ ଥିଲେ । ସେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ , ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା, ସମେତ ବ୍ରହ୍ମପୁର, ରମ୍ଭା, ନବରଙ୍ଗପୁର ପରି ଓଡ଼ିଶାର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନୀତ ହୋଇଥିଲେ।
ସେ ଥିଲେ ବେଲମା କୁଳର ଏକ ଦକ୍ଷ ସଂଗଠକ।ସେହି ମହାନ୍ ପ୍ରତିଭାଙ୍କ ଗତକାଲି ୭୭ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ବିୟୋଗରେ ତାଙ୍କ ଶିଷ୍ୟଗଣ ତଥା ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଧରାକୋଟ, ଘୁମୁସର , ଆଠଗଡ଼ ଓ ଖଲାସ ଚାରି ତାଲୁକା ଉତ୍କଳ ବେଲମା ସମାଜର ପୂର୍ବତନ ସମ୍ପାଦକ ବିଜୟ କୁମାର ପ୍ରଧାନ, ବର୍ତ୍ତମାନର ସଭାପତି ଲକ୍ଷ୍ମୀ ନାରାୟଣ ନାୟକ, ମହୁରୀ ତାଲୁକା ବେଲମା ସମାଜର ରାଜେନ୍ଦ୍ର ମଣ୍ଡଳ,ଅମୂଲ୍ୟ କୁମାର ନାହାକ, ପୂର୍ବଖଣ୍ଡ ତାଲୁକାର କୁଳ ସଂଗଠକ ସୁରେନ୍ଦ୍ରନାଥ ପ୍ରଧାନ, ପୂର୍ବତନ ସଂପାଦକ ବାବୁ ନାହାକ,ଦେବୀ ପ୍ରସାଦ ପ୍ରଧାନ,ନାଟ୍ୟକାର ଲିଙ୍ଗରାଜ ନାହାକ, ଶିକ୍ଷାବିତ ଗୋବିନ୍ଦ ନାହାକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରି ତାଙ୍କ ବିୟୋଗରେ କଳା ଜଗତର ତଥା ବେଲମା କୁଳର ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *