ହବିଷ୍ୟାଳୀ ମା ମାନେ ରହିଲେ ୩ କେନ୍ଦ୍ର ରେ , ମା ମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ।

ପୁରୀ ୨୫/୧୦(କ ବ୍ୟୁ) : ଚଳିତ ବର୍ଷ ର କାର୍ତ୍ତିକ
ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଚଳିତ ମାସ ୨୬ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି।ଏହି ଅବସରରେ ଆଜି ପୂର୍ବାହ୍ନ ରୁ ବିଭିନ୍ନ ଜିଲ୍ଲା ରୁ ମା ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚି ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ରେ ପଞ୍ଜିକରଣ କରାଇଛନ୍ତି।।ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୩ ଟି ହବିଷ୍ୟାଳୀ କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ,ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ରେ ହବିଷ୍ୟାଳୀ ମା ମାନଙ୍କୁ ରଖାଯିବାର ବ୍ୟବସ୍ଥା ହୋଇଛି।ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା।ଯାଞ୍ଚ ପରେ ଯୋଗ୍ଯ ବିବେଚିତ ହବିଷ୍ୟାଳୀ ମା ମାନେ ସେମାନଙ୍କ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପହଞ୍ଚି ଥିଲେ।ବୃନ୍ଦାବତୀ ନିବାସରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ହବିଷ୍ୟାଳୀ ମା ମାନେ,ମୋଚି ସାହି କଲ୍ୟାଣ ମଣ୍ଡପ ରେ ଅନୁଗୁଳ, ଢେଙ୍କାନାଳ ଓ ଗଞ୍ଜାମ ର ମା ମାନେ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ରେ ଅନ୍ୟ ସମସ୍ତ ଜିଲ୍ଲାର ହବିଷ୍ୟାଳୀ ମା ମାନଙ୍କ ରହଣୀ ବ୍ୟବସ୍ଥା ରହିଛି।ଆଜି ପଞ୍ଜିକରଣ କୁ ସୁ ନିୟନ୍ତ୍ରିତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ତତ୍ବାବଧାନରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଜିକରଣ ପରିଚାଳନା ରେ ସହଯୋଗ କରିଥିଲେ।
ଗୋଟିଏ ମାସ ମା ମାନେ ହବିଷ୍ୟାଳୀ କେନ୍ଦ୍ର ରେ ରହି ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଳନ କରିବେ।ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ରେ ମାଆ ମାନେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଫୁଲ, ଚନ୍ଦନ ଲଗାଯାଇ ଓ ହୁଳହୁଳି ପକାଯାଇ ସ୍ବାଗତ କରାଯାଇଥିଲା।ସଂଧ୍ୟା ସୁଦ୍ଧା ବୃନ୍ଦାବତୀ ନିବାସରେ ୧୦୪୪,ମୋଚି ସାହି କଲ୍ୟାଣ ମଣ୍ଡପ ରେ ୪୫୦ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ରେ ୫୧୮ ଜଣ ପଞ୍ଜିକରଣ କରିଥିବା ଜଣା ଯାଇଛି।

(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *