କଟକରେ ଅବକାରୀ ବିଭାଗର ଚଢ଼ାଉ, ୬୨ ଗ୍ରାମ ହେରୋଇନ୍ ଜବତ; ଜଣେ ଗିରଫ

କଟକ, ୨୬ ଅକ୍ଟୋବର ୨୦୨୬: କଟକ ସହରରେ ନିଶାଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୬୨ ଗ୍ରାମ ହେରୋଇନ୍ ଜବତ ହୋଇଥିବା ବେଳେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୭ ଲକ୍ଷ ୧୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ ସମୟରେ କଟକର ବାଦାମବାଡ଼ି ଥାନା ଅନ୍ତର୍ଗତ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ନିକଟସ୍ଥ କାଳୀ ମନ୍ଦିର ରାସ୍ତାରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

ଏହି ଘଟଣାରେ ଗିରଫ ଯୁବକଙ୍କ ନାମ ରେଶମା ବେଗମ୍ ବୋଲି ଅବକାରୀ ବିଭାଗର ରିପୋର୍ଟରେ ଉଲ୍ଲେଖ ରହିଛି। ତାଙ୍କ ବୟସ ପ୍ରାୟ ୨୬ ବର୍ଷ। ସେ ସତୀଚଉରା, ଇମାମପଡ଼ା ଅଞ୍ଚଳର ବାସିନ୍ଦା ଏବଂ ମାର୍କତନଗର ଥାନା ଅଞ୍ଚଳର ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଅବକାରୀ ବିଭାଗ ପକ୍ଷରୁ ଏନ୍‌ଡିପିଏସ୍‌ ଆଇନ, ୧୯୮୫ର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ୨୬ ଅକ୍ଟୋବରରେ କଟକର ମାନ୍ୟବର ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରାଯାଇଛି।

ଚଢ଼ାଉରେ ସାମିଲ ଥିଲେ ଅବକାରୀ ଅଧିକାରୀ

ସଦର ରେଞ୍ଜ, କଟକର ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଏଥିରେ କଟକ-୧ ଅବକାରୀ ଥାନାର ଓଆଇସି ସୁଶ୍ରୀ ସଙ୍ଗୀତା ମହାପାତ୍ର, ଏଏସ୍‌ଆଇ ସୁନିଆ ଆଇଣ୍ଡ, ଅବକାରୀ କନଷ୍ଟେବଳ ବସନ୍ତୀ ସାଲିମା, ସୁନୀଲ କୁମାର ବଳ ଓ ରଞ୍ଜନ କୁମାର ଭୋଇ ସାମିଲ ଥିଲେ।

କଟକ ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *