• ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଆଲୋଚନା, 17ଟି ସେକ୍ଟରରେ 59 ଅଧିକାରୀ ମୁତୟନ
• ଜଳବନ୍ଦୀ ସମସ୍ୟାର ତ୍ବରିତ ସମାଧାନ ଏବଂ ପିଇବା ପାଣି ଯୋଗାଣକୁ ମେୟରଙ୍କ ଗୁରୁତ୍ୱ
• 310ଟି ପମ୍ପ ସେଟ୍, 94ଟି ଆଶ୍ରୟସ୍ଥଳରେ 15 ହଜାର ଲୋକ ରହିବା ଭଳି ହୋଇଛି ପ୍ରସ୍ତୁତି
• କେଏମସି ଅଞ୍ଚଳ ପାଇଁ ରହିଛି ସ୍ୱତନ୍ତ୍ର 12 ଜଣିଆ ଓଡ୍ରାଫ୍ ଟିମ୍, 6ଟି ରାପିଡ୍ ଆକ୍ସନ ଟିମ୍
• ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ୍, ବିପଦ ସଂକୂଳ ଖୁଣ୍ଟ, ହୋର୍ଡିଂ ଓ ଗେଟ୍ ହଟାଇବାକୁ ନିର୍ଦ୍ଦେଶ
• 25ଟି ହସ୍ପିଟାଲରେ ରଖାଯାଇଛି ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ମହଜୁଦ ରହିଛି ସାପ ଓ କୁକୁର କାମୁଡା ଇଞ୍ଜେକ୍ସନ୍
• 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଏବଂ ହେଲ୍ପଲାଇନ୍ ନମ୍ବର ଜାରି, 3ଟି ସିଫ୍ଟରେ କର୍ମଚାରୀ ମୁତୟନ


କଟକ, ୨୭ ଅକ୍ଟୋବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି କଟକ ସହରରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ କଟକ ମହାନଗର ନିଗମ (କେଏମସି) ପକ୍ଷରୁ ବିଜୁ ଭବନ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପାଣିପାଗ ବିଭାଗର ସୂଚନା ଅନୁସାରେ କଟକ ସହରରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସହରରେ 127ଟି ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି। ଜଳବନ୍ଦୀ ସମସ୍ୟାର ତ୍ୱରିତ ସମାଧାନ ଏବଂ ବର୍ଷାଜଳର କିଭଳି ଶୀଘ୍ର ନିଷ୍କାସନ ହୋଇପାରିବ ସେ ଉପରେ ମେୟର ଶ୍ରୀ ସିଂହ ଗୁରୁତ୍ୱାରୋପ କରିଥିଲେ।
ସହରରେ ୩୧୦ଟି ପମ୍ପ ସେଟ୍ ରଖାଯିବା ସହ ଏହାର ଡ୍ରାଇଭରମାନଙ୍କୁ ଆଲର୍ଟରେ ରଖାଯାଇଛି। ପ୍ରବଳ ବର୍ଷା ହେଲେ ପାଖାପାଖି 15000 ଲୋକଙ୍କୁ ସ୍ଥାନାନ୍ତର କରି ରଖିବା ଭଳି 94ଟି ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ। ସହରରେ ମୋଟ୍ 17ଟି ସେକ୍ଟରରେ 59 ଅଧିକାରୀଙ୍କୁ ମୁତୟନ କରାଯାଇଛି। ଜଣେ ଲେଖାଏଁ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଓ୍ୱାର୍ଡର ଦାୟିତ୍ୱ ଦିଆଯାଇଛି। ଆବଶ୍ୟକତା ଅନୁସାରେ ସେମାନେ ବିହୀତ ପଦକ୍ଷେପ ସଂପର୍କରେ ପ୍ରସ୍ତାବ ଦେବା ସହ ଆନୁସଙ୍ଗିକ କାର୍ଯ୍ୟ କରିପାରିବେ। ବିଶେଷକରି ଏହି ସମ୍ବେଦନଶୀଳ ସମୟରେ ଲୋକଙ୍କ ପାଖକୁ ପିଇବା ପାଣି ଯୋଗାଣକୁ ସୁନିଶ୍ଚିତ କରିବାକୁ ଓ୍ୱାଟକୋକୁ ଦାୟିତ୍ୱ ଦିଆଯାଇଛି।
ଅଗ୍ନିଶମ ବିଭାଗ ପକ୍ଷରୁ 20ଟି ପମ୍ପ ସେଟ୍ ଏବଂ 6ଟି ଟିମ୍ ପ୍ରସ୍ତୁତ କରି ରଖାଯାଇଛି। କୌଣସି ସ୍ଥାନରେ ଗଛ ଭାଙ୍ଗିପଡ଼ିଲେ ଏହାକୁ ଖୁବ୍ କମ୍ ସମୟ ମଧ୍ୟରେ ହଟାଇବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି କଟକ ମହାନଗର ନିଗମ ଅଞ୍ଚଳରେ 12 ଜଣିଆ ଓଡ୍ରାଫ୍ ଟିମ୍ ମୁତୟନ ରହିଛନ୍ତି। ସେମାନଙ୍କ ପାଇଁ ଗାଡ଼ି ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।
ବାତ୍ୟା ପୂର୍ବ ପ୍ରସ୍ତୁତି ସହ ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ସମୟରେ ସହରରେ ଜନଜୀବନକୁ ସ୍ୱାଭାବିକ ରଖିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ସମୟରେ ଦୁର୍ଘଟଣା ଓ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ଏଡ଼ାଇବା ନିମନ୍ତେ ବିପଦ ସଂକୂଳ ବିଦ୍ୟତ ଖୁଣ୍ଟି, ବଡ଼ ବଡ଼ ଗେଟ୍ ଏବଂ ହୋର୍ଡିଂ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପମ୍ପ ସେଟ୍ଗୁଡ଼ିକର ନିୟମିତ ତଦାରଖ, ଅବରୋଧ ହୋଇଥିବା ଡ୍ରେନ୍ଗୁଡ଼ିକର ସଫେଇକୁ ଗୁରୁତ୍ୱ ଦିଆଯାଇଥିଲା।
ବାତ୍ୟା ମୁକାବିଲା ପାଇଁ କେଏମସି ପକ୍ଷରୁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେଏମସି ପକ୍ଷରୁ ସ୍ୱାସ୍ଥ୍ୟ ସେବାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ସହରରେ ଥିବା 25ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଔଷଧ ରଖାଯିବା ସହ ସାପ ଓ କୁକୁର କାମୁଜା ଇଞ୍ଜେକ୍ସନ ମଧ୍ୟ ମହଜୁଦ ରଖାଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଆସନ୍ନ ପ୍ରସବା ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କୁହାଯାଇଥିବା ବେଳେ 2 ଜଣ ନୋଡାଲ୍ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଆରଏସ୍ ଏବଂ ବ୍ଲିଚିଂ ସହିତ ବର୍ଷା ପରବର୍ତ୍ତୀ ସମୟରେ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ମଧ୍ୟ କରାଯାଇଛି।
ବୈଠକରେ କେଏମସିର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଜନଶୁଣାଣି ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ହେଲ୍ଥ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିମୟୀ ମୁଳିଆ, ଲାଇସେନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଏ. ଶ୍ରୀଦେବୀ, କର୍ପୋରେଟର ଶ୍ରୀ ଗୋପାଳ ବେହେରା ଓ ଶ୍ରୀ ସନ୍ତୋଷ ଭୋଳ, କେଏମସିର ଅତିରିକ୍ତ କମିଶନର ଶ୍ରୀମତୀ ସୋନା ଟୁଡୁ ଓ ଶ୍ରୀ ପରେଶ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀ, ଅଗ୍ନିଶମ ବିଭାଗ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।