ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଶାସନ ସଚିବ : ଡଙ୍ଗରିଆ କନ୍ଧଙ୍କ ହସ୍ତଶିଳ୍ପର ବିକାଶ ସହ କ୍ରାଫ୍ଟ ଭିଲେଜ୍‌ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ରାୟଗଡ଼, (ତପନ କୁମାର କାଡ୍ରାକା ): ରାୟଗଡ଼ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଛନ୍ତି ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର। ଜିଲ୍ଲାର ବିଭିନ୍ନ ବ୍ଲକ୍‌ ପରିଦର୍ଶନ କରିବା ସହ ସେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି, ଆଦିବାସୀଙ୍କ ଜୀବିକା ଓ ପାରମ୍ପରିକ ହସ୍ତଶିଳ୍ପର ବିକାଶ ସମ୍ପର୍କରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।ଏହି ଅବସରରେ ରାୟଗଡ଼ ଜିଲ୍ଲାରେ ଶିଳ୍ପ ଓ ହସ୍ତଶିଳ୍ପର ସହାବସ୍ଥାନ ଏକ ସ୍ୱତନ୍ତ୍ର ବିଶେଷତ୍ୱ ବୋଲି ଶାସନ ସଚିବ ମତ ପ୍ରକାଶ କରିଥିଲେ। ଜିଲ୍ଲାର ଏହି ସମ୍ଭାବନାର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ କରିବା ସହ ଜୀବିକାର ନୂତନ ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ସୁଶ୍ରୀ ମୃଣାଳିକା ରାଠୋଡ଼ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ଡଙ୍ଗରିଆ କନ୍ଧଙ୍କ ହସ୍ତଶିଳ୍ପକୁ ମିଳିବ ପ୍ରୋତ୍ସାହନ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ କଳା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହ ଏହାକୁ ଜୀବିକାର ମାଧ୍ୟମ ଭାବେ ବିକଶିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଶାଲ୍‌ ଓ ତୁମ୍ବା ହସ୍ତଶିଳ୍ପକୁ ଆଧାର କରି ଏକ ହସ୍ତଶିଳ୍ପ ଗ୍ରାମ ବା ‘କ୍ରାଫ୍ଟ ଭିଲେଜ୍‌’ ପ୍ରତିଷ୍ଠାର ସମ୍ଭାବନା ଉପରେ ବିଚାରବିମର୍ଶ କରାଯାଇଥିଲା। ଏଥିସହ କାରିଗରମାନଙ୍କ ଦକ୍ଷତା ବୃଦ୍ଧି, ଉତ୍ପାଦର ବଜାର ସଂଯୋଗୀକରଣ ଏବଂ ବ୍ଲାକ୍‌ ଡୋକ୍ରା କଳାର ପ୍ରଚାରପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଉପରେ ଗୁରୁତ୍ୱ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ, ଛାତ୍ରାବାସର ଭିତ୍ତିଭୂମି, ଖାଦ୍ୟ ବ୍ୟବସ୍ଥା ଓ କ୍ରୀଡ଼ା ସୁବିଧାର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ହସ୍ପିଟାଲ୍‌ର ଉନ୍ନତିକରଣ, ଅଙ୍ଗନବାଡ଼ି କେନ୍ଦ୍ରର ସୁଦୃଢ଼ୀକରଣ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଦିବାସୀ ଅଞ୍ଚଳରେ ଡଙ୍ଗରିଆ କନ୍ଧଙ୍କ ଆବାସ ବିକାଶ, ଡାହାଣୀ ସନ୍ଦେହଜନିତ କୁପ୍ରଥା ବିରୋଧରେ ଜନସଚେତନତା ଏବଂ ଜୀବିକାଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ନେଇ ମଧ୍ୟ ଆଲୋଚନା ହୋଇଥିଲା।କୃଷି ଉତ୍ପାଦନ ଓ ଯୁବକଙ୍କ ନିଯୁକ୍ତି ସୁଯୋଗ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗେଣ୍ଡୁଫୁଲ, ଆମ୍ବ, କଫି, ମାଣ୍ଡିଆ ଓ ସପୁରୀ ଉତ୍ପାଦନ ବୃଦ୍ଧି ସହ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଓ ବଜାର ସଂଯୋଗୀକରଣ ମାଧ୍ୟମରେ ଚାଷୀଙ୍କ ଆୟ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାରେ କପା ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷତା ବିକାଶ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ସ୍ୱଚ୍ଛ ଓ ଫଳପ୍ରଦ ବିନିଯୋଗ ମାଧ୍ୟମରେ ଜନକଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉପରେ ଆଲୋକପାତ କରାଯାଇଥିଲା।ଜିଲ୍ଲାର ସ୍ଥାନୀୟ ସମ୍ବଳ, ପାରମ୍ପରିକ ଜ୍ଞାନକୌଶଳ ଓ ସାଂସ୍କୃତିକ ଐତିହ୍ୟର ସଦୁପଯୋଗ କରି ସ୍ଥାୟୀ ଜୀବିକା ସୃଷ୍ଟି, ଆଦିବାସୀଙ୍କ ଆର୍ଥିକ ସଶକ୍ତୀକରଣ ଓ ସାମଗ୍ରିକ ଜିଲ୍ଲା ବିକାଶକୁ ଆଗେଇ ନେବା ଏହି ସମୀକ୍ଷା ବୈଠକ ଓ କ୍ଷେତ୍ର ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Leave a Reply

Your email address will not be published. Required fields are marked *