ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାରଙ୍କ ‘ମେଗା ପୋର୍ଟ’ ମାନ୍ୟତା

ପାରାଦ୍ଵୀପ : ପାରାଦ୍ଵୀପ ପୂର୍ବ ଉପକୂଳର ଏକମାତ୍ର ‘ମେଗା ପୋର୍ଟ’ ହେଲା ପାରାଦୀପ
ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି ସ୍ୱରୂପ କେନ୍ଦ୍ର ସରକାର ପାରାଦୀପ ବନ୍ଦରକୁ ଆନୁଷ୍ଠାନିକ ‘ ଭାବେ ମେଗା ପୋର୍ଟ’ ଘୋଷଣା କରିଛନ୍ତି। ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଏହି ମାନ୍ୟତା ପାରାଦୀପ ବନ୍ଦର କୁ ଦିଆଯାଇଛି।ବନ୍ଦର ଗୁଡ଼ିକର ଭିତ୍ତିଭୂମି, କାର୍ଯ୍ୟକ୍ଷମତା ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ଦେଶର ଚାରିଟି ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା—(କାଣ୍ଡଲା )ଦୀନଦୟାଲ ବନ୍ଦର,(ନଭା ଶୋଭା )ଜବାହରଲାଲ ନେହେରୁ ବନ୍ଦର, ପାରାଦୀପ ବନ୍ଦର ଏବଂ ମୁନ୍ଦ୍ରା ବନ୍ଦର। ଏଥିରେ ମୁନ୍ଦ୍ରା ବନ୍ଦରକୁ ପ୍ରମୁଖ ବନ୍ଦର ବ୍ୟତୀତ ଅନ୍ୟ ବନ୍ଦର ଭାବେ ବର୍ଗୀକୃତ କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩ର ଉପଧାରା (୨) ଓ (୩) ଅନୁସାରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରବୀଣ ପି. ନାୟରଙ୍କ ଦ୍ୱାରା ଜାରି ଏହି ବିଜ୍ଞପ୍ତି ୨୫ ସେପ୍ଟେମ୍ବର ୨୦୨୬ରେ ଭାରତର ରାଜପତ୍ର (ଅସାଧାରଣ)ରେ ପ୍ରକାଶ ପାଇବା ସହିତ ତତକ୍ଷଣାତ୍ ଲାଗୁ ହୋଇଛି। ବିଜ୍ଞପ୍ତି ନମ୍ବର ଏସ ଓ ୫୩୦୩ (ଇ).ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା ମିଳିବା ଦ୍ୱାରା ଭାରତର ପୂର୍ବ ଉପକୂଳରେ ଏହାର ଅର୍ଥ ନୈତିକ ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି। ଏହି ମାନ୍ୟତା ବନ୍ଦରର ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ଷମତା, ମାଲ ପରିବହନ ଓ ସାମୁଦ୍ରିକ ଯୋଗା ଯୋଗକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, IRSEE, ଏହି ମାନ୍ୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।ସେ କହିଛନ୍ତି ଯେ, ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ମାନ୍ୟତା ମିଳିବା ବନ୍ଦରର ବିକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ଭବିଷ୍ୟତରେ ବନ୍ଦରର ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ଷମତା ଓ ସାମୁଦ୍ରିକ ବାଣିଜ୍ୟକୁ ଆହୁରି ମଜବୁତ କରିବ।
ଅର୍ଥ ନୈତିକ ଅବସ୍ଥିତି, ଆଧୁନିକ ଭିତ୍ତିଭୂମି ଓ ବୃଦ୍ଧି ପାଉଥିବା ମାଲ ପରିଚାଳନା କ୍ଷମତା ଯୋଗୁଁ ପାରାଦୀପ ବନ୍ଦର ଦେଶର ଉପକୂଳୀୟ ଓ ଅନ୍ତର୍ଜାତୀୟ ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ‘ମେଗା ପୋର୍ଟ’ ମାନ୍ୟତା ପରେ ପାରାଦୀପ ବନ୍ଦରର ବିକାଶକୁ ଆହୁରି ଗତି ମିଳିବା ସହିତ ଏହା ଏକ ଆଧୁନିକ, ଦକ୍ଷ ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀ ବନ୍ଦର ଭାବେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିବ। ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *