
କଟକ, ୨୩।୦୯: ଦୁଇଦିନିଆ ଯାତ୍ରା ପରେ ଉତ୍ସବମୁଖର ପରିବେଶରେ ଶେଷ ହୋଇଛି କଟକ ଚାଉଳିଆଗଞ୍ଜର ପ୍ରସିଦ୍ଧ ଖୁଦୁରୁକୁଣୀ ମେଳଣ। ମେଳଣର ଶେଷ ଦିନରେ ୧୭ଟି ପୂଜାମଣ୍ଡପର ମା’ ଖୁଦୁରୁକୁଣୀଙ୍କ ସୁସଜ୍ଜିତ ମେଢ଼ ଏଥିରେ ସାମିଲ ହୋଇଥିଲା। ମେଢ଼, ବାଜା ଓ ରୋଷଣୀରେ ସମଗ୍ର ଚାଉଳିଆଗଞ୍ଜ ଝଲସି ଉଠିଥିବା ବେଳେ ପରିବେଶ ସତେ ଯେମିତି ଦୁର୍ଗାପୂଜା ଭସାଣି ଶୋଭାଯାତ୍ରାର ଭ୍ରମ ସୃଷ୍ଟି କରିଥିଲା।
ଚାଉଳିଆଗଞ୍ଜ ଖେଳପଡ଼ିଆ ନିକଟରୁ କ୍ରମିକ ନମ୍ବର ଅନୁସାରେ ୧୭ଟି ସୁସଜ୍ଜିତ ମେଢ଼ ବାହାରିଥିଲା। ମେଢ଼ଗୁଡ଼ିକ ଚାଉଳିଆଗଞ୍ଜ ଖେଳପଡ଼ିଆରୁ ମଠସାହି, ସାଇଛକ, ଥଟାରସାହି, ବାଘମୁଣ୍ଡସାହି, ଗାନ୍ଧୀଛକ ଦେଇ ନୀଳାଦ୍ରିବିହାର ଅଞ୍ଚଳ ପରିକ୍ରମା କରିଥିଲେ। ପରେ ଅପର୍ଣ୍ଣାନଗର ଦେଇ ଚାଉଳିଆଗଞ୍ଜ ଦୁର୍ଗାଛକରେ ପହଞ୍ଚିବା ପରେ ତଳସାହି ଦେଇ କେଏମସି ଅସ୍ଥାୟୀ ପୋଖରୀ ନିକଟରେ ମେଳଣ ଯାତ୍ରାର ଶେଷ ପର୍ଯ୍ୟାୟ ସମ୍ପନ୍ନ ହୋଇଥିଲା।
ମେଢ଼ଗୁଡ଼ିକ ସହ ଆସିଥିବା ବିଭିନ୍ନ ପ୍ରକାରର ବାଜା ଓ ରୋଷଣୀ ଥିଲା ମେଳଣର ମୁଖ୍ୟ ଆକର୍ଷଣ। ବ୍ୟାଣ୍ଡପାର୍ଟି, ମାଦଳ, ଚାଙ୍ଗୁ, ପଞ୍ଜାବୀ ବାଜା, ଘଣ୍ଟ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳରେ ପ୍ରକମ୍ପିତ ହୋଇଥିଲା ଚାଉଳିଆଗଞ୍ଜ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ବ୍ୟାଣ୍ଡ ପାଟି ଏବଂ ଆକର୍ଷଣୀୟ ଆଲୋକସଜ୍ଜା ମେଳଣର ଶୋଭାକୁ ଆହୁରି ବଢ଼ାଇଥିଲା।
ବର୍ଷା ସତ୍ତ୍ୱେ ମେଳଣର ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା। ବାଜାର ତାଳେ ତାଳେ ଶହ ଶହ ଯୁବକଙ୍କ ନୃତ୍ୟରେ ଉତ୍ସବର ମାହୋଲ ଆହୁରି ଜମିଯାଇଥିଲା। ମେଢ଼ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା।
ସମଗ୍ର ଅଞ୍ଚଳ ଆଲୋକମାଳାରେ ଝଲସି ଉଠିଥିବା ବେଳେ ବାଜାର ତାଳ, ଭକ୍ତଙ୍କ ଉତ୍ସାହ ଓ ସୁସଜ୍ଜିତ ମେଢ଼ର ଶୋଭା ମିଶି ଚାଉଳିଆଗଞ୍ଜକୁ ଏକ ଭିନ୍ନ ରୂପ ଦେଇଥିଲା। ଶେଷରେ ଶାନ୍ତିଶୃଙ୍ଖଳାର ସହ ଖୁଦୁରୁକୁଣୀ ମେଳଣ ସମ୍ପନ୍ନ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।