
ବାରିପଦା/ଉଦଳା,ତା୨୦/୦୮/୨୦୨୬(କ: ବ୍ଯୁ) :
କୁଣ୍ଡାବାଇ ସ୍ଥିତ ଆର୍ ଡି. ଏସ୍ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ବାଳକ ଓ ବାଳିକା ବିଭାଗ ଦ୍ଵାରା ନିଶାମୁକ୍ତ ଅଭିଯାନ ଓ ବିକଶିତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ଗିରି ପ୍ରାରମ୍ଭରେ ଦେଶର ଯୁବ ପିଢି କିଭଳି ନିଶା କବଳରୁ ମୁକ୍ତ ହୋଇ ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତ ଗଠନରେ ନିଜକୁ ସାମିଲ କରିପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ରିସୋର୍ସ ପର୍ସନ ଭାବେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଉଦଳା ଶାଖାର ଭଉଣୀ ଦମୟନ୍ତୀ ଓ ଭାଇ ସତ୍ୟବାନ ଯୋଗଦେଇ ଆଜିର ସମାଜରେ ଅଧିକାଂଶ ବ୍ୟକ୍ତି ନିଶା କବଳରେ କବଳିତ, ତେଣୁ କିଭଳି ଆମେ ସମସ୍ତେ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ଦୂରକରିବା ସେଥିପାଇଁ ସମସ୍ତେ ବଦ୍ଧପରିକର ହେବା ଆବଶ୍ୟକ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଶାମୁକ୍ତ ଭାରତ ପାଇଁ ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ସମସ୍ତଙ୍କୁ ସପଥ ପାଠ କରାଇଥିଲେ ।କାର୍ଯ୍ୟକ୍ରମ ପରିସମାପ୍ତି ପରେ ସମସ୍ତ୍ ଛାତ୍ର ଛାତ୍ରୀ ରାଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ. ମମତା ପ୍ରଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ବାଳିକା ବିଭାଗର ଏନ୍ ଏସ୍ ଏସ୍ ଅଧିକାରିଣୀ ସସ୍ମିତା ସାହୁ କାର୍ଯ୍ୟକ୍ରମ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ, ଅଧ୍ଯାପକ ଅଧ୍ୟାପିକା ଓ ଅଣ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)