

ରାଜଗାଙ୍ଗପୁର (କ.ବ୍ୟୁ.) 14.08.2023 : ଆଜି ସକାଳେ କିଛି ସମୟ ପାଇଁ ପ୍ରବଳ ବର୍ଷା ହୋଇଥିବା ବେଳେ ରାଜଗାଙ୍ଗପୁର ମ୍ୟୁନିସିପାଲଟି ର ସବୁ ଅଞ୍ଚଳର ନାଳି ନର୍ଦ୍ଦମା ପାଣି ରୋଡ଼ ରାସ୍ତା ଉପରେ ଭାସୁଥିଲା ଏବଂ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।କେଉଁଠି ଫୁଟେ ତ୍ କେଉଁଠି ୩ ଫୁଟ୍ ଉଚ୍ଚତାରେ ନର୍ଦ୍ଦମା ପାଣି ଲୋକଙ୍କ ଘର ଭିତରେ ପସି ଘରର ଆସବାବପତ୍ର ଗୁଡ଼ିକୁ ନଷ୍ଟ କରିଛି। ଏହି ନର୍ଦ୍ଦମା ମିଶ୍ରିତ ବର୍ଷା ପାଣି ନିଷ୍କାସନ ର ସମୁଚିତ ବ୍ୟବସ୍ଥା ନଥିବାରୁ ବଗିଚା ପଡ଼ା, କୁମାରକେଲା, ଗୋସାଲା ପଡ଼ା, ମଧୁସୂଦନ କଲୋନୀ, ସୁତାମିଲ ରୋଡ଼, ଦୈନିକ ବଜାର,ରେଳଷ୍ଟେସନ ସାମ୍ନା, ମାଷ୍ଟର କଲୋନୀ, ରାମବଗାନ, ଦୁର୍ଗା ମନ୍ଦିର ରୋଡ଼,ଓ ସି ଏଲ ମାର୍କେଟ,ରାଜୀବ ଛକ, ହସ୍ପିଟାଲ ଭିତରେ ଓ ହସ୍ପିଟାଲ ଯିବାକୁ ଥିବା ମୁଖ୍ୟ ରାସ୍ତା ଏଭଳି ଅନେକ ଅଞ୍ଚଳରେ ରୋଡ଼ ରାସ୍ତା ଉପରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକେ ଏଥି ପାଇଁ ମ୍ୟୁନିସିପାଲଟି ର ଚରମ ଅବହେଳା କୁ ଦାୟୀ କରି କହିଛନ୍ତି ଯେ, ଠିକାଦାର ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସହରର ସ୍ଥିତି ସାଂଘାତିକ ହୋଇପଡିଛି ।ପ୍ରାୟ ସବୁ ବର୍ଷ ଊଣା ଅଧିକ ଏଭଳି ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ବର୍ତମାନ କିଛି ସମୟ ପାଇଁ ହୋଇଥିବା ମୁସଲାଧାର ବର୍ଷା ଆଳରେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଖସି ଯିବାକୁ ଚେଷ୍ଟା କରିବା କେତେ ଯୁକ୍ତି ଯୁକ୍ତ ଅଟେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷା ହେବା ସ୍ବାଭାବିକ ପ୍ରକ୍ରିୟା ର ଅଂଶ ବିଶେଷ ଥିବା ବେଳେ ବର୍ଷା ପାଣି ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ସିଷ୍ଟମ ତିଆରି କରିବା କାହାର ଦାୟିତ୍ଵ? ଯଦି ନାଳ ନର୍ଦ୍ଦମା ନିୟମିତ ସଫା କରାଯାଉଛି ହେଲେ ପ୍ରତି ବର୍ଷ ଏଭଳି ନର୍ଦ୍ଦମା ପାଣି ରୋଡ଼ ରାସ୍ତା ଉପରେ ବୋହୁଛି କେମିତି? ଏବଂ ଏଭଳି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି କାହିଁକି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ବୀଗତ୍ ୨୦୦୧ ମସିହାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳର ନିର୍ବାଚିତ ପରିଷଦ ଏପରିକା ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏବଂ ସହରର ନର୍ଦ୍ଦମା ପାଣି ନିଷ୍କାସନ ନିମନ୍ତେ ଡ୍ରେନ ମାଷ୍ଟର ପ୍ଲାନ୍ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ଡ୍ରେନ ମାଷ୍ଟର ପ୍ଲାନ୍ ସର୍ଭେ ପାଇଁ ୧୭୫୦୦ ଟଙ୍କା ମଧ୍ୟ ମଞ୍ଜୁର କରିଥିଲା। ଏ ସଙ୍କ୍ରାନ୍ତ ରେ ବାରମ୍ବାର ଜିଲ୍ଲାପାଳ ଓ ଅନ୍ୟାନ୍ୟ କ୍ଷମତା ସମ୍ପନ୍ନ ଅଧିକାରୀ ମାନଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି ୨୪ ବର୍ଷ ପରେ ମଧ୍ୟ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଶିଘ୍ର ଡ୍ରେନ ମାଷ୍ଟର ପ୍ଲାନ୍ କୁ କାର୍ଯ୍ୟକାରୀ କରିବା କୁ ସାଧାରଣ ରେ ଦାବି ହେଉଛି । ଏବେ ଦେଖିବାକୁ ବାକି ରହିଲା ଯେ, ଆମ ଜନପ୍ରତିନିଧି ମାନେ ଏବଂ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଏ ବିଷୟକୁ ନେଇ କେତେ ସକ୍ରିୟ ଭୂମିକା ତୁଲାଉଛନ୍ତି ନାଁ ପୂର୍ବଭଳି ନିଷ୍କ୍ରିୟ ହୋଇ ରହୁଛନ୍ତି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )